ସଂସ୍କାର : ବଲିଉଡର ସୁପରଷ୍ଟାର ସଲମାନ ଖାନ, ଅକ୍ଷୟ କୁମାରଙ୍କ ସମେତ ଅନେକ ଚଳଚ୍ଚିତ୍ର ତାରକାଙ୍କ ବିରୁଦ୍ଧରେ ପୋଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲା ରୁଜୁ କରିବା ପଛରେ ରହିଛି ବଳାତ୍କାର। ଗୋଟିଏ ବଳାତ୍କାର ମାମଲାରେ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିର ୩୮ ଜଣ ସେଲିବ୍ରିଟିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଏହି ବଳାତ୍କାର ମାମଲାଟି ୨୦୧୯ ମସିହାର ବୋଲି ଜଣାପଡିଛି। ୨୦୧୯ ମସିହାରେ ହାଇଦ୍ରାବାଦରେ ୪ ଜଣ ବ୍ୟକ୍ତି ଜଣେ ଯୁବତୀଙ୍କୁ ବଳାତ୍କାର କରି ନିଆଁ ଲଗାଇ ପୋଡି ଦେଇଥିଲେ । ଆଉ ଏହି ଘଟଣାରେ ପୀଡିତାଙ୍କ ନାମ ସର୍ବସମ୍ମୁଖକୁ ଆଣିବା କାରଣରୁ ବର୍ତ୍ତମାନ ଫସିଯାଇଛନ୍ତି ବଲିଉଡ ଓ ଟଲିଉଡର ନାମିଦାମୀ କଳାକାର।
ସୂଚନା ମୁତାବକ, ୨୦୧୯ରେ ହାଇଦ୍ରାବାଦରେ ଜଣେ ମହିଳା ପଶୁ ଚିକିତ୍ସକଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ୪ଜଣ ଯୁବକ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ଜିଅନ୍ତା ଜାଳିଦେଇଥିଲେ। ପରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ଏନକାଉଣ୍ଟର କରାଯାଇଥିଲା। ଏହି ଘଟଣାକୁ ୨ବର୍ଷ ବିତିଥିବା ବେଳେ ଏବେ ପୀଡ଼ିତାଙ୍କ ଅସଲ ନାଁ ସାମ୍ନାକୁ ପଦାକୁ ଆଣି ଫସିଛନ୍ତି ବଲିଉଡ ଓ ଟଲିଉଡ଼ର ୩୮ଜଣ କଳାକାର।
୩୮ଜଣଙ୍କ ମଧ୍ୟରେ ଅନୁପମ ଖେର, ଫରହାନ ଅଖତର, ଅଜୟ ଦେବଗନ, ଅକ୍ଷୟ କୁମାର, ସଲମାନ ଖାନ, ମହାରାଜା ରବି ତେଜା, ରାକୁଲପ୍ରୀତ ସିଂ, ଅଲ୍ଲୁ ସିରିଶ ଏବଂ ଅନ୍ୟ ସେଲିବ୍ରିଟିଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି, ଯେଉଁମାନେ ପୀଡିତାଙ୍କ ପ୍ରକୃତ ନାମ ଉଲ୍ଲେଖ କରିଥିଲେ। ଦିଲ୍ଲୀର ଓକିଲ ଯାହାଙ୍କ ନାମ ଗୌରବ ଗୁଲାଟି , ସେ ଆଇପିସି ଧାରା ୨୨୮ଏ ଅନୁଯାୟୀ ସବଜି ମଣ୍ଡି ପୁଲିସ ଷ୍ଟେସନରେ ସେଲିବ୍ରିଟିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଏବଂ ଏହି ସେଲିବ୍ରିଟିମାନେ ଦାୟିତ୍ବବାନ ନାଗରିକ ନୁହଁନ୍ତି ବୋଲି ଅଭିଯୋଗ କରି ତିସ୍ ହଜାରି କୋର୍ଟରେ ମଧ୍ୟ ପିଟିସନ ଦାଖଲ କରିଛନ୍ତି। ସେ କହିଛନ୍ତି ଯେ , ଏହି ସେଲିବ୍ରିଟିମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଆଇନ ଅନୁଯାୟୀ, କୌଣସି ବଳାତ୍କାର ପୀଡିତାଙ୍କ ପରିଚୟ କିମ୍ବା ନାମ ଅନ୍ୟ କେହି ପ୍ରକାଶ କରିବା ଏକ ଦଣ୍ଡନୀୟ ଅପରାଧ।