ସଂସ୍କାର ବ୍ୟୁରୋ, (୧୧/୦୭) :- ଓଡ଼ିଶାର ହିନ୍ଦୁ ଝିଅ ସହିତ ଜାମ୍ମୁ କାଶ୍ମୀର ମୁସଲିମ୍ ପୁଅର ପ୍ରେମ ବିବାହ । ବି ଫାର୍ମା ପାଠ ପଢାରୁ ହେଲା ପ୍ରେମ, ପରବର୍ତ୍ତୀ ସମୟରେ ବିବାହ ଓ ଏହା ପରେ ନିଖୋଜ। ବିବାହ ତ ହେଲା, କିନ୍ତୁ ବର୍ତ୍ତମାନ ଏ ଦୁହିଁଙ୍କର ପତ୍ତା ମିଳୁନାହିଁ। ଏପଟେ ଝିଅର କୌଣସି ଖବର ନ ପାଇ ଝିଅଟିର ମାତା ପିତା ବର୍ତ୍ତମାନ ସିଧାସଳଖ ଯାଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟପଟେ ସୁପ୍ରିମକୋର୍ଟ ମଧ୍ୟ ଗତ ଶୁକ୍ରବାର ଅର୍ଥାତ୍ ଗତ ୯ ଜୁଲାଇ ତାରିଖରେ ଏହି ପ୍ରେମ ବିବାହ ବା ଆମେ କହିପାରିବା ପ୍ରେମ ବିବାହ ଠକେଇ ସମ୍ପର୍କିତ ମାମଲାରେ ଓଡିଶା, ଜାମ୍ମୁ କାଶ୍ମୀର ଏବଂ ଚଣ୍ଡିଗଡ଼ ପ୍ରଶାସନକୁ ନୋଟିସ୍ ପଠାଇଛନ୍ତି।
ତେବେ କାହିଁକି ହେଲା ଏପରି ପ୍ରେମ ବିବାହରେ ଠକେଇ? ଓଡ଼ିଶାର ହିନ୍ଦୁ ଝିଅ ସହ ଜାମ୍ମୁ କାଶ୍ମୀର ମୁସଲିମ୍ ପୁଅର କିପରି ହୋଇଥିଲା ଦେଖାସାକ୍ଷାତ୍ ? ବିବାହ ହେବାର କେଇଟା ଦିନ ମଧ୍ୟରେ କେଉଁଆଡ଼େ ଉଭାନ ହୋଇଗଲେ ଓଡ଼ିଶାର ହିନ୍ଦୁ ଝିଅ ଓ ଜାମ୍ମୁ କାଶ୍ମୀର ମୁସଲିମ୍ ପୁଅ ? କାହିଁକି ଝିଅଟିର ବାପା ଓ ମା ସିଧା ପହଞ୍ଚିଲେ ସୁପ୍ରିମକୋର୍ଟ।
ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଝିଅଟିର ମା ବାପା ଙ୍କ ଓକିଲ ସୁଦର୍ଶନ ମେନନ୍, ଜଷ୍ଟିସ୍ ୟୁୟୁ ଲଲିତ, ଜଷ୍ଟିସ୍ ଅଜୟ ରାସ୍ତୋଗୀ ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ନିକଟରେ ହାଜର ହୋଇ ଝିଅଟି ଚଣ୍ଡିଗଡ଼ରେ ଜଣେ ଜାମ୍ମୁ କାଶ୍ମୀର ର ମୁସଲମାନ ଯୁବକଙ୍କୁ ବିବାହ କରି କେଉଁଆଡେ ଅଦୃଶ୍ୟ ହେବାର ଘଟଣାକୁ ପ୍ରକାଶ କରିଥିଲେ।
ତେବେ ଏହି ଓକିଲ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ବିବାହ ପରେ ଝିଅ ଜଣକ କେଉଁଠାରେ, କେଉଁ ଅବସ୍ଥାରେ ଅଛନ୍ତି ତାହା ଝିଅଟିର ପିତାମାତାଙ୍କ ନିକଟରେ କୌଣସି ସୂଚନା ନାହିଁ। ବିବାହ ପରେ ତାଙ୍କ ଝିଅ ନିଖୋଜ ହୋଇଯାଇଛନ୍ତି।
ତେବେ ଏଠାରେ ଆମେ କହିରଖୁଛି ଯେ , ଝିଅର ମାତାଙ୍କ ନାମ କବିତା ଏବଂ ପିତାଙ୍କ ନାମ କେଦାରନାଥ। ତେବେ ସେମାନଙ୍କ ଝିଅର ଜୀବନ ପ୍ରତି ବିପଦ ଥିବାର ଅନୁଭବ କରି ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ ।
ତେବେ ଝିଅଟିର ବାପା ମା ଙ୍କ କହିବା ଅନୁଯାୟୀ, ତାଙ୍କ ଝିଅ ଲକ୍ଷ୍ନୋ ଯିବା ପୂର୍ବରୁ ଓଡ଼ିଶାର ଵ୍ରହ୍ମପୁରରେ ଜାମ୍ମୁ କାଶ୍ମୀରର ଜଣେ ଯୁବକଙ୍କ ସହ ବି ଫାର୍ମା ଅଧ୍ୟୟନ କରିଥିଲେ। ବି ଫାର୍ମା ପରେ ପଢିବା ସମୟରେ ଦୁହିଁଙ୍କ ମଧ୍ୟରେ ଉଠିଥିଲା ପ୍ରେମ ସମ୍ପର୍କ। ତା’ପରେ ସେ ଦୁହେଁ ଚାକିରି ଖୋଜିବାର ବାହାନା ନେଇ ଚଣ୍ଡିଗଡ଼ ଯାଇ ବିବାହ କରିଥିଲେ। ତେବେ ଝିଅଟିର ମା ବାପା ଆହୁରି ମଧ୍ୟ କହିଛନ୍ତି ଯେ, ଶେଷ ଥର ଆମେ ଆମ ଝିଅ ସହ କଥା ହେବା ସମୟରେ ସେ ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଠାରେ ରହିଥିଲା। ମାତ୍ର ହଠାତ କିଛିଦିନ ହେବ ସେ ଦୁହେଁ ନିଖୋଜ ଅଛନ୍ତି।
ଝିଅର ପିତାମାତା ଆହୁରି ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ଝିଅ ନିଜ ପସନ୍ଦର ହିନ୍ଦୁ, ଖ୍ରୀଷ୍ଟିଆନ କିମ୍ବା ମୁସଲମାନ ପୁଅକୁ ବିବାହ କରନ୍ତି ତେବେ ତାଙ୍କର କୌଣସି ଅସୁବିଧା ନାହିଁ। କିନ୍ତୁ ତାଙ୍କ ଝିଅକୁ ବିବାହ କରିବା ପାଇଁ ବାଧ୍ୟ କରାଯାଇଛି ବୋଲି ସେ ସନ୍ଦେହ କରୁଛନ୍ତି।
ତେବେ ଘଟଣା ବାବଦରେ ସମ୍ପୂର୍ଣ୍ଣ କଥା ଶୁଣିବା ପରେ ସୁପ୍ରିମକୋର୍ଟ ଗତ ଶୁକ୍ରବାର (୯ ଜୁଲାଇ ୨୦୨୧ )ଦିନ ଓଡିଶା, ଜାମ୍ମୁ କାଶ୍ମୀର ଏବଂ ଚଣ୍ଡିଗଡ଼ ପ୍ରଶାସନକୁ ନୋଟିସ୍ ପଠାଇଛନ୍ତି। ପରବର୍ତ୍ତୀ ଶୁଣାଣି ତାରିଖ ଜୁଲାଇ 23 ପାଇଁ ସ୍ଥିର କରାଯାଇଛି।