ଉତ୍ତର ପ୍ରଦେଶ ବିଜନୋରରେ ସ୍ଵାଟ୍ ଟିମ୍ ଏବଂ କୋଟୱାଲୀ ପୋଲିସ ଦେଢ ମାସ ପୂର୍ବରୁ ଜନସେବା କେନ୍ଦ୍ରରେ ହୋଇଥିବା ୧୩ ଲକ୍ଷ ଚୋରି ଘଟଣାର ଖୁଲାସା କରିଛନ୍ତି । ୨ ଦୁର୍ବୃତ୍ତ ଚୋର ଚୋରି ହୋଇଥିବା ଟଙ୍କା, ବାଇକ୍ ଏବଂ ପିସ୍ତଲ ସହିତ ଧରା ପଡ଼ିଛନ୍ତି । ପୋଲିସର ସୂଚନାନୁସାରେ, ଚୋରମାନେ ଜନସେବା କେନ୍ଦ୍ରରୁ ଚୋରି କରିଥିବା ବ୍ୟାଗରେ କେବଳ ୪୦-୫୦ ହଜାର ଟଙ୍କା ଥିବ ବୋଲି ଆଶା କରିଥିଲେ ହେଲେ ସେଥିରେ ୧୩ ଲକ୍ଷ ଟଙ୍କା ଥିଲା । ଏତେ ପରିମାଣର ଟଙ୍କା ଦେଖିବା ପରେ ଚୋର ଏଯାଜକୁ ହୃଦଘାତ ହୋଇଥିଲା, ଯାହାର ଚିକିତ୍ସା ମଧ୍ୟ ଚୋରି ଟଙ୍କାରେ କରାଯାଇଥିଲା ।
ଏସପି ଡାକ୍ତର ଧର୍ମବୀର ସିଂହଙ୍କ କହିବାନୁଯାୟୀ, କୋଟୱାଲୀ ଥାନାର ଗାଁ ପିଟାନହେଡି ଗାଁର ବାସିନ୍ଦା ଉରୁଜ ହାଇଦର ଏକ ଅଭିଯୋଗ କରିଥିଲେ ଯେ ଫେବୃୟାରୀ ୧୭ ଦିନ ଚୋରମାନେ କୋଟୱାଲି ଗାଁର ଏକ ଜନସେବା କେନ୍ଦ୍ରରୁ ନଗଦ ଟଙ୍କା, ପର୍ସ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ଚୋରି କରିଥିଲେ । ସ୍ଵାଟ୍ ଟିମ୍ ଏବଂ କୋଟୱାଲୀ ପୋଲିସ ବୁଧବାର ଦିନ ନାଗିନା ଥାନାର ଗାଁବାଲା ଅଲିପୁର ଓରଫ୍ କିରତପୁର ନିବାସୀ ନୌଶାଦ ଏବଂ ଏଯାଜକୁ ୩,୭୦,୦୦୦ ନଗଦ ଟଙ୍କା, ଦୁଇଟି କାର୍ ଏବଂ ବାଇକ୍ ସହିତ ଧରିଛନ୍ତି । ଧରା ପଡ଼ିଥିବା ଚୋରମାନେ ପୋଲିସକୁ କହିଥିଲେ ଯେ ସେମାନେ ଟଙ୍କା ଚୋରି କରି ନିଜ ଭିତରେ ବାଣ୍ଟି ଦିଅନ୍ତି ।
ଯୋଜନା କରି ଚୋରମାନେ ବିବାହ ଉତ୍ସବରେ ବାଜୁଥିବା ବ୍ୟାଣ୍ଡ ଏବଂ ଡିଜେର ଲାଭ ଉଠାଇ ମୁହଁରେ ମାସ୍କ ଲଗେଇ ଜନସେବା କେନ୍ଦ୍ରରେ ପଶିଲେ । ୬,୫୦,୦୦୦ ଟଙ୍କା, ପର୍ସରେ ୫୪,୦୦୦ ଟଙ୍କା, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଚୋରି କରିନେଲେ । ପୋଲିସ ଡରରେ ବ୍ୟାଗ ଏବଂ ପର୍ସ ଗଙ୍ଗା ବ୍ୟାରେଜରେ ଫିଙ୍ଗି ଦେଲେ । ଚୋରି ଟଙ୍କାକୁ ଦୁହେଁ ସମାନ ଦୁଇ ଭାଗରେ ବାଣ୍ଟି ନେଲେ । ଜବତ ହୋଇଥିବା ବାଇକ ସେମାନେ ୨ ମାସ ପୂର୍ବେ ଫୁଲସନ୍ଦା ବ୍ୟାଙ୍କରୁ ଚୋରି କରିଥିଲେ । ଉଭୟଙ୍କ ଇତିହାସ ଖାତା ଖୋଲି ଗ୍ୟାଙ୍ଗକୁ ପଞ୍ଜୀକରଣ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଉଭୟ ଚୋରିର ଅବଶିଷ୍ଟ ଅର୍ଥ ଖର୍ଚ୍ଚ କରି ଦେଇଛନ୍ତି ବୋଲି ପୋଲିସକୁ କହିଥିଲେ । ତେବେ ସୂଚନାଥାଉ ଯେ ନୌଶାଦଙ୍କ ବିରୋଧରେ ୧୨ ଟି ଏବଂ ଏଯାଜଙ୍କ ବିରୋଧରେ ୩ ଟି ମାମଲା ରହିଛି । ଚୋରମାନଙ୍କୁ ଧରିଥିବା ଦଳକୁ ଏସପି ପାଞ୍ଚ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।