ସଂସ୍କାର : ଆମ ଓଡ଼ିଆରେ ଗୋଟେ ପ୍ରବାତ ରହିଛି ଯେ, ଭାଉଜ ମାଆ ସମାନ। କାରଣ ଭାଉଜ ଓ ଦିଅର ମଧ୍ୟରେ ଯେଉଁ ମାତୃତୁଲ୍ୟ ସମ୍ପର୍କ ସ୍ଥାପନ ହୋଇଥାଏ ତାହା ପବିତ୍ର ହୋଇଥାଏ। ଭାଉଜଙ୍କର ଦିଅରଙ୍କ ପ୍ରତି ସ୍ନେହ ଥାଏ ଓ ଦିଅରଙ୍କର ନିଜ ଭାଉଜଙ୍କ ପ୍ରତି ରହିଥାଏ ସମ୍ମାନ। ହେଲେ ବର୍ତ୍ତମାନ ଏକ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି। କାରଣ ଜଣେ ଦିଅର ନିଜର ଯୌନ ଭୋକକୁ ମେଣ୍ଟାଇବା ପାଇଁ ନିଜର ମାଆ ସମାନ ଭାଉଜଙ୍କୁ ହତ୍ୟା କରିଛି। ହତ୍ୟାକାରୀ ଦିଅର ଜଣକ ନିଜ ଭାଉଜ ପ୍ରତି ଯୌନ ଆକର୍ଷଣ ଅନୁଭବକୁ ଜୀବନ୍ତ କରିବାକୁ ଚାହୁଁଥିଲା କିନ୍ତୁ ଭାଉଜ ବାରଣ କରିବାରୁ ଶେଷରେ ତାଙ୍କୁ ଦିଅର ଜଣକ ହତ୍ୟା କରିଦେଇଥିବା ଜଣାପଡ଼ିଛି ।
ଏହି ଲୋମହର୍ଷକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ସୁଭାଷ ନଗର ଥାନା ଅଞ୍ଚଳରେ । ସେଠାରେ ଶାନ୍ତି ବିହାର କଲୋନୀରେ ଗତ ମାସ ଘଟିଥିବା ବିନିତା ସାକ୍ସେନା ନାମକ ଜଣେ ମହିଳାଙ୍କ ହତ୍ୟାର କାରଣ ବର୍ତ୍ତମାନ ସାମନାକୁ ଆସିଛି। ପୋଲିସ ବିନିତା ହତ୍ୟା ମାମଲାର ପର୍ଦ୍ଦାଫାସ କରିବା ପରେ ପରିବାର ଲୋକଙ୍କ ସମେତ ପଡ଼ୋଶୀମାନେ ଚକିତ ହୋଇଯାଇଛନ୍ତି। ହତ୍ୟାକାଣ୍ଡ ଏକ ସମ୍ପୂର୍ଣ୍ଣ ଅନୈତିକ ସମ୍ପର୍କ ଯୋଗୁଁ ଘଟିଥିଲା। ଅଭିଯୁକ୍ତ ଯୁବକ ଆକାଶ ସାକ୍ସେନା ନିଜ ଭାଉଜଙ୍କ ସହ ଦୈହିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି।
ନିଜ ଭାଇଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରେ ଏକାକୀ ଥିବା ଭାଉଜ ସହିତ ଶାରୀରିକ ସମ୍ପର୍କ ରଖିବାକୁ ସେ ଚେଷ୍ଟା କରିବା ବେଳେ ମହିଳା ବିରୋଧ କରିଥିଲେ। କିନ୍ତୁ ଯୌନ ଇଚ୍ଛାରେ ଅନ୍ଧ ହୋଇଯାଇଥିବା ଦିଅର ନିଜ ଭାଉଜକୁ ଏକ ପଥରରେ ଛେଚି ହତ୍ୟା କରିଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି। ତେବେ ପୋଲିସ୍ ବର୍ତ୍ତମାନ ରସିକିଆ ଦିଅରକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।