ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଦ୍ୟାଭାରତୀଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ସଂସ୍କାର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଚାଲୁଥିବା ସବୁ ସନ୍ଦେହ ଏବଂ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି କ୍ରାଇମବ୍ରାଞ୍ଚ । ବହୁ ଚର୍ଚ୍ଚିତ ପାରଳଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍ ଚିଟ୍ ମିଳିଛି।ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତେଣୁ ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚର ତଦନ୍ତ ଭାର ନେଇଥିବା ଅଧିକାରୀ ଡିଏସପି, ଜ୍ଞାନରଞ୍ଜନ ମିଶ୍ର ପାରଳାଖେମୁଣ୍ଡି ପହଞ୍ଚି କୋର୍ଟରେ ବିଦ୍ୟାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛନ୍ତି।

ସୌମ୍ୟଙ୍କ ମୃତ୍ୟୁରେ ଡିଏଫଓ ଓ ରୋଷେୟାଙ୍କ କୌଣସି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଏପରିକି ଡିଏଫ୍ଓଙ୍କ ସହିତ ବିଦ୍ୟାଙ୍କର କୌଣସି ଅନୈତିକ ସମ୍ପର୍କ ନଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ସୌମ୍ୟଙ୍କ ମୃତ୍ୟୁ ଏକ ଆକସ୍ମିକ ଦୁର୍ଘଟଣା ବୋଲି ଏଡିଜି କହିଛନ୍ତି । ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ବିଦ୍ୟାଙ୍କ ସହିତ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା । ଏ ସମ୍ପର୍କରେ ଏଡିଜି କହିଛନ୍ତି, କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡି ଯାଇଥିବା ଜଣାପଡିଛି। ତେଣୁ ଦୁର୍ଘଟଣାରେ ଡିଏଫଓ ସଂଗ୍ରାମ ବେହେରା କିମ୍ବା ରୋଷେୟାଙ୍କ କୌଣସି ସଂପୃକ୍ତି ନଥିଲା । ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡିଛି ବୋଲି ଏଡିଜି କହିଛନ୍ତି । ତେଣୁ ବିଦ୍ୟାଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଥିବା ବେଳେ ବିଦ୍ୟାଭାରତୀ ନିଆଁ ଲିଭାଇନଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା।

ଅନ୍ୟପଟେ ଏହି ଘଟଣାରେ ୮୦ ଜଣଙ୍କୁ ଜେରା କରିଥିବା ବେଳେ, ସମସ୍ତଙ୍କ କଲ୍ ରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟ, ଏସଏଫଲର ରିପୋର୍ଟ, ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟର ସମସ୍ତ ଦସ୍ତାବିଜ ସହ କୋର୍ଟରେ ଦାଖଲ କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *