ମନ୍ନତକୁ ଶାହରୁଖ ଖାନ କଲେ କୋଭିଡ୍ ଗାର୍ଡ : ସୋସିଆଲ ମିଡ଼ିଆରେ ଫଟୋ ହେଲା ଭାଇରାଲ୍

ଦେଶର ଚାରିଆଡ଼େ କରୋନାର ଆତଙ୍କ ଥିଲେ ହିଁ ମହାରାଷ୍ଟ୍ର ସବୁଠାରୁ ବେଶୀ ପ୍ରଭାବିତ ହୋଇଛି । କ୍ରମାଗତ ଭାବରେ ମୁମ୍ବାଇରେ କରୋନା ମାମଲା ବଢିଚାଲିଛି । ସିନେ ଜଗତ ହେଉ କି ଟେଲି ଜଗତ, ଅଧିକାଂଶ ତାରକା ମୁମ୍ବାଇରେ ହିଁ ରୁହନ୍ତି ଓ ଏବେ ଧୀରେ ଧୀରେ କରୋନା କବଳକୁ ଆସୁଛନ୍ତି । ଏଭଳି ପରିସ୍ଥିତିରେ ସୁରକ୍ଷାକୁ ଦୃଷ୍ଟିରେ ରଖି କିଂ ଖାନ ଅର୍ଥାତ୍ ଶାହରୁଖ ଖାନ ନିଜ ବଙ୍ଗଳା ‘ମନ୍ନତ’କୁ ଚାରିପଟୁ ପ୍ଲାଷ୍ଟିକରେ କଭର କରିଦେଇଛନ୍ତି ଯାହାର ଫଟୋ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ।

ସୂଚନା ଅନୁଯାୟୀ ଏଇ କିଛି ଦିନ ତଳେ ବଚ୍ଚନ ପରିବାରର ୪ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ମଧ୍ୟରେ ବରିଷ୍ଠ ଅଭିନେତ୍ରୀ ରେଖାଙ୍କ ବଙ୍ଗଳା ଏବଂ ନିର୍ଦେଶିକା ଜୋୟୋ ଅଖତରଙ୍କ ବଙ୍ଗଳା ମଧ୍ୟ ସିଲ କରାଯାଇଛି । ତେଣୁ ସଚେତନ ହେଇ ଶାହରୁଖ ନିଜ ପତ୍ନୀ ଗୌରୀ ଓ ୩ ପୁଅଝିଅଙ୍କ ସହିତ ରହୁଥିବା ମନ୍ନତକୁ ପ୍ଲାଷ୍ଟିକ କଭର କରିଦେଇଛନ୍ତି । କେବଳ ସେତିକି ନୁହେଁ, ଶାହରୁଖ ନିଜର ୫ ମହଲା ବିଶିଷ୍ଟ ଅଫିସକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିଏମ୍‌ସିକୁ ମଧ୍ୟ ଦେଇଛନ୍ତି ।

ଗତକାଲି, ରବିବାର ଦିନ ୧୦୪୬ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ କେବଳ ମୁମ୍ବାଇରେ ୨୩ ହଜାର ୮୨୮ ଆକ୍ଟିଭ୍ ମାମଲା ରହିଛି । ସେଥିମଧ୍ୟରୁ ମୃତକଙ୍କ ସଂଖ୍ୟା ୫୭୧୧ ହୋଇଥିଲାବେଳେ ସୁସ୍ଥ ହାର ରହିଛି ୭୦ ପ୍ରତିଶତ । ଏ ସମ୍ପର୍କରେ ମୁମ୍ବାଇ ମହାନଗର ପାଳିକାଙ୍କ ସୂଚନା ଦେଇଛନ୍ତି ।

ଏଠାରେ ସୂଚନା ଥାଉ କି ଦୀର୍ଘ ଦୁଇ ବର୍ଷ ବିରତି ପରେ ଶାହରୁଖ ଖାନ ବଲିଉଡ଼କୁ ଫେରୁଛନ୍ତି ଏବଂ ରାଜକୁମାର ହିରାନୀଙ୍କ ସହିତ ଇମିଗ୍ରେସନ୍ ଥିମ୍ ଉପରେ ଆଧାରିତ ସୋସିଆଲ୍ ଡ୍ରାମା କରିବାକୁ ଯାଉଛନ୍ତି । ଯଦି ଲକଡାଉନ୍ ତଥା ଅନଲକ୍‌କୁ ନେଇ ଆଗାମୀ ଦିନରେ କୌଣସି ଅସୁବିଧା ନହୁଏ ତେବେ ଅକ୍ଟୋବର ମାସ ବେଳକୁ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେଇଯିବାର ସମ୍ଭାବନା ଅଛି ।

Leave a Reply

Your email address will not be published. Required fields are marked *