ଭୁବନେଶ୍ଵର : ଓଡ଼ିଶାର ସବୁ ସ୍କୁଲ ଏବଂ କଲେଜ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡ଼ିଓ ମାଧ୍ୟମରେ ଘୋଷଣା କରିଛନ୍ତି । ଏହାଛଡ଼ା ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ ବୈଠକ, ଯାହା ପରେ ପରେ ଏହି ସୂଚନା ମିଳିଛି ।

ମହାମାରୀ କରୋନାର ମୁକାବିଲା ନେଇ ଏହି ବୈଠକ ବସିଥିଲା । ଅପ୍ରେଲ ୩୦ ଯାଏଁ ରାଜ୍ୟରେ ଲକଡାଉନ ଅବଧିକୁ ବଢାଇବା ନେଇ ନିଷ୍ପତ୍ତି ନେବା ସହିତ ସାରା ଦେଶରେ ଏହାକୁ ଜାରି କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତା’ସହିତ ଆଗାମୀ ୩୦ ତାରିଖ ଯାଏଁ ବିମାନ ଚଳାଚଳ ଓ ରେଳ ଚଳାଚଳକୁ ସ୍ଥଗିତ ରଖିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ସେ ।
ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରୁ ମଣିଷ ଜୀବନକୁ ଅଧିକ ଗୁରୁତ୍ଵ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେଣୁ ଆଜିର ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ସାମିଲ ହେଇଛି,
କରୋନା ମୁକାବିଲା ପାଇଁ ଭବିଷ୍ୟତ ରଣନୀତି ନେଇ ପ୍ରସ୍ତାବ
ଜରୁରୀକାଳୀନ ପାଣ୍ଠି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ
କୋଭିଡ-୧୯ ନିୟମାବଳୀ ୨୦୨୦ରେ ସଂଶୋଧନ ପାଇଁ ପ୍ରସ୍ତାବ
୧ ଲକ୍ଷ ପରୀକ୍ଷା କିଟ୍ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ
ମହାମାରୀ ଆଇନରେ ଆଇନରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ପାରିତ ହୋଇଛି