ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତ କିପରି ପାଇବେ ସରକାରୀ ହୋମ୍ ଆଇସୋଲେସନର ସୁବିଧା : ପଢନ୍ତୁ ପୁରା ଖବର

ଭୁବନେଶ୍ୱର: ନୂଆ ଗାଇଡ଼ଲାଇନ ଅନୁସାରେ ଏଣିକି ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ହୋମ୍ ଆଇସୋଲେସନରେ ରହିପାରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଖାସ୍ କରି ସହରାଞ୍ଚଳର ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି ।

ତ୍ରିପାଠୀ ମହୋଦୟଙ୍କ କହିବାନୁଯାୟୀ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯଦି ସହରାଞ୍ଚଳର ହୋଇଥାନ୍ତି ଓ ତାଙ୍କ ଠାରେ କୌଣସି ଲକ୍ଷଣ ଦିଶୁ ନଥିବ ଅଥବା ସାମାନ୍ୟ ଥିବ ତେବେ ସମ୍ପୃକ୍ତ ରୋଗୀଙ୍କୁ ସର୍ତ୍ତମୂଳକ ଭାବରେ ନିଜ ଘରେ ରହି ଚିକିତ୍ସା ହେବାକୁ ଅନୁମତି ମିଳିବ । ଏହି ନୂଆ ନିୟମ ସବୁ ୧୧୪ ପୌରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟ ପାଇଁ ଲାଗୁ । ଏମିତିକି ସହରର ସମସ୍ତ ଉପଖଣ୍ଡ ତଥା ବ୍ଲକ ମୁଖ୍ୟାଳୟ ରୋଗୀଙ୍କୁ ମଧ୍ୟ ହୋମ୍ ଆଇସୋଲେସନ ଅନୁମତି ମିଳିଛି ।

ଏ ନିୟମ ଅନୁସାରେ ହୋମ୍ ଆଇସୋଲେସନରେ ରହିବା କରୋନା ଆକ୍ରାନ୍ତଙ୍କ ସାଙ୍ଗରେ ଜଣେ ଘର ଲୋକ ରହିବେ । ସହାୟକ ବ୍ୟକ୍ତି ଜଣକ ସାବାଳକ/ସାବାଳିକା ହୋଇଥିବା ନିତାନ୍ତ ଆବଶ୍ୟକ ଯଦ୍ଵାରା ସରକାର ଓ ରୋଗୀ ମଧ୍ୟରେ ଯୋଗାଯୋଗ ଭଲ ରୂପେ ହେଇପାରିବ । ଏମିତିକି ଚିକିତ୍ସକ ଉକ୍ତ ସହଯୋଗୀ ବ୍ୟକ୍ତି ମାଧ୍ୟମରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ଭଲମନ୍ଦ ସବୁ ଜାଣିପାରିବେ ।

ସରକାର ଓ ରୋଗୀ ମଧ୍ୟରେ ଯୋଗାଯୋଗ ଅର୍ଥାତ୍ ହୋମ୍ ଆଇସୋଲେସନ ରୋଗୀ ନିମନ୍ତେ ପିପିଇ କିଟ୍, ଔଷଧ ଇତ୍ୟାଦି ସରକାରୀ ଚିକିତ୍ସା ସବୁ ଯୋଗାଇ ଦିଆଯିବ । ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ସୂଚନାଯୋଗ୍ୟ ଯେ କିଛି ବିଶେଷ ପ୍ରକାରର ଲୋକ ଯେମିତି HIV ରୋଗୀ, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, କ୍ୟାନ୍ସର, ହୃଦରୋଗୀ, ବୟସ୍କ, ବହୁବିଧ ରୋଗାକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ ନାହିଁ ।

ଏହାବ୍ୟତୀତ ସରକାରୀ ଘୋଷଣା ଅନୁସାରେ କୌଣସି କର୍ମସଂସ୍ଥାନରେ କାମ କରୁଥିବା କର୍ମଚାରୀ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି, ତେବେ ଉକ୍ତ କର୍ମସଂସ୍ଥାନ ତାର ନିଜ କର୍ମଚାରୀଙ୍କ ପାଇଁ କୋଭିଡ଼ କେୟାର ହୋମ୍  କରିପାରିବେ । ଏହି କୋଭିଡ଼ କେୟାର ହୋମ୍ କରିବାର ସୀମା ରହିଛି ୧୦ରୁ ୨୦ଟା ।

ତ୍ରିପାଠୀ ମହୋଦୟ ଆହୁରି କହିଛନ୍ତି ଯେ, ୮୦ ପ୍ରତିଶତ ରୋଗୀ ଲକ୍ଷଣହୀନ ଏବଂ ଲକ୍ଷଣହୀନ ରୋଗୀଙ୍କୁ କ୍ରିଟିକାଲ କେୟାର ସୁବିଧା ଯୋଗାଇ ଦେବାର କୌଣସି ଆବଶ୍ୟକତା ନାହିଁ । ତେବେ ବଡ଼ ସଂସ୍ଥାମାନଙ୍କୁ କୋଭିଡ଼ କେୟାର ସେଣ୍ଟର ତିଆରି ପାଇଁ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Leave a Reply

Your email address will not be published. Required fields are marked *