ଭୁବନେଶ୍ଵର: ମଇ ୨୪ ତାରିଖରେ ଏକ ସାମ୍ୱାଦିକ ସମ୍ମିଳନୀରେ ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ନିଜ ବକ୍ତବ୍ୟ ରଖିଛନ୍ତି ଓ କହିଛନ୍ତି ଯେ ପ୍ରବାସୀମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଉଥିବାରୁ ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ । ସରପଞ୍ଚ ଓ ଏସ.ଏଚ.ଜି.ଙ୍କୁ ପ୍ରଶଂସା କରିବା ସହିତ ସେ ଆହୁରି ବି କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସବୁଠି ବସ, ସିଟି ବସ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ କରିବ ।
ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଆରମ୍ଭ ସିଟି ବସ । କିନ୍ତୁ ସର୍ତ୍ତ ହେଉଛି ବସରେ ଯେତିକି ସିଟ ସେତିକି ଯାତ୍ରୀ । ତାଛଡ଼ା ବସ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯଦି କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଦେଉଥାଏ ସେ ବସରେ ଯାଇପାରିବ ନାହିଁ । ଏହାସହ ଯାତ୍ରୀଙ୍କୁ ନିଜ ପାଖରେ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି ।

ବସ ସହିତ ଅଟୋ ରିକ୍ସା, ଓଲା, ଉବେର ଚଳାଚଳକୁ ବି ସରକାରୀ ଅନୁମତି ମିଳିଛି । ୪ ଚକିଆ ଗାଡ଼ି ଓ ଅଟୋରେ ଡ୍ରାଇଭରଙ୍କ ବ୍ୟତୀତ ୨ ଜଣ ଯାତ୍ରୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ମିଳିଛି । କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟରେ ରେଳ ଚଳାଚଳ ସହିତ ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିଛି ବୋଲି ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର ।