ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଆସିଲା କେମିତି ? ଦୁଇ ଯୁବକ ଛାତ୍ରୀଙ୍କୁ ଫିଙ୍ଗି ମାରିଲେ ଚମ୍ପଟ !

Body of Jharaphula Nayak was found under mysterious circumstances in Jajpur

ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ଅଭାବନୀୟ ଘଟଣାରେ ରାଜଧାନୀ ଭୁବନେଶ୍ୱର ରମାଦେବୀ (RD) କଲେଜର ଛାତ୍ରୀଙ୍କ ମୃତଦେହ ମିଳିଛି ଯାଜପୁର ଜିଲ୍ଲାରୁ । କେବଳ ସେତିକି ନୁହେଁ ଯାଜପୁର କୁଆଖିଆ ରାସ୍ତାକଡ଼ରୁ ଛାତ୍ରୀ ଜଣକର ମୃତଦେହ ମିଳିଥିବା ବେଳେ ତାଙ୍କ ମୃତଦେହକୁ ଏକ ସ୍କୁଟି ମଝିରେ ବସାଇ ନେଉଥିବା ଦୁଇ ଯୁବକ କଏଦ ହୋଇଛନ୍ତି ସିସିଟିଭି କ୍ୟାମେରାରେ । ତେବେ ପୋଲିସ ସେମାନଙ୍କୁ ଚିହ୍ନଟ କରି ସାରିଛି ମାତ୍ର ଗିରଫ କରିପାରିନି ।

ଏ ଘଟଣାଟି ଯେତିକି ସମ୍ବେଦନଶୀଳ ସେତିକି ବିସ୍ମୟକର ମଧ୍ୟ । ମୃତ ଛାତ୍ରୀ ଝରାଫୁଲଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଏବଂ ସେ ଭୁବନେଶ୍ୱର କଲେଜରେ ପଢୁଥିଲେ । ମାତ୍ର ତାଙ୍କୁ ମାରି କିଏ ଓ କାହିଁକି ଯାଜପୁରରେ ଫିଙ୍ଗି ଦିଆଗଲା ? ଘଟଣାର ତଦନ୍ତ ଚାଲିଥିବାବେଳେ ଯାଜପୁର ଏସ୍‌ପି ପିଆଲ୍‌ ରାହୁଲ୍‌ କହିଛନ୍ତି ଯେ ଏହି ଘଟଣାରେ ଚିହ୍ନଟ ହୋଇଥିବା ସେହି ଦୁଇ ଯୁବକ ଅଛନ୍ତି ନା ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି ।

ସିସିଟିଭି ଫୁଟେଜ୍ ଅନୁସାରେ ଏକ ସ୍କୁଟିରେ ବସାଇ ଦୁଇ ଯୁବକ ଝରାଫୁଲ ମୃତଦେହକୁ କୁଆଖିଆ ରାସ୍ତାରେ ନେଇଛନ୍ତି । ମୃତ ଝରାଫୁଲଙ୍କ ବାପାଙ୍କ କହିବାନୁଯାୟୀ ଭୁବନେଶ୍ୱରରେ ହତ୍ୟା କରି ଗାଡ଼ିରେ ବସାଇ ଯାଜପୁର ଆଣିବା ସମ୍ଭବ ନୁହେଁ, ତେଣୁ ଅନୁମାନ ଯେ ଯାଜପୁରର ଆଖପାଖରେ ତାଙ୍କୁ ହତ୍ୟା କରାଯାଇଛି । ତେବେ ବାଣୀବିହାର ବସ୍‌ଷ୍ଟପ୍‌ରେ ଓହ୍ଲାଇବା ପରେ ଝରାଫୁଲ କେଉଁଆଡ଼େ ଯାଇଥିଲେ ସେନେଇ ତାଙ୍କ ଫୋନ୍‌ ଟ୍ରାକିଂ କରାଯାଉଛି । ଝରାଫୁଲ ତାଙ୍କ ବାପା ଏବଂ ଭାଇ ବାରମ୍ବାର କଲ୍‌ କଲାପରେ ବି ସେ ସାଙ୍ଗ ସୋନାଲୀ ଘରେ ରହିଥିବା କଥା କହିଥିଲେ ।

ଘଟଣାଟି ଏହିପରି । ଜାନୁୟାରୀ ୨୬ ତାରିଖ ଦିନ ବସରେ ବସି ସେ ଭୁବନେଶ୍ୱରରୁ ମଯୁରଭଞ୍ଜ ଯାଉଥିଲେ । ହଠାତ ଦେହ ଖରାପ ହେବାରୁ ବାଣୀବିହାରରୁ ଓହ୍ଲାଇପଡ଼ିଲେ । ତାପରେ ଅନେକ ଯୋଗାଯୋଗ କରିଥିଲେ ବି ଝରାଫୁଲ କଲ ରିସିଭ କରିନଥିଲେ । ଫୋନ ରିସିଭ କର କହି ସନ୍ଧ୍ୟା ୬:୫୦ରେ ଝରାଫୁଲଙ୍କ ଭାଇ ତାଙ୍କ ସହିତ ଚାଟ କରିଥିଲେ । ତଥାପି ଝରାଫୁଲ କଲ ରିସିଭ କରିନଥିଲେ । ରାତି ୧୨:୩୦ ବେଳକୁ ସେ ତାଙ୍କ ଭାଇଙ୍କୁ କଲ କରିଥିଲେ ହେଲେ କିଛି ଶୁଭୁ ନଥିଲା । ତା’ପରେ ଆସିଥିଲା ଝରାଫୁଲଙ୍କ ମେସେଜ ରିପ୍ଲାଇ । ସାଙ୍ଗ ସୋନାଲୀ ପାଖରେ ଅଛି , ବ୍ୟସ୍ତ ହୁଅନି । ଜାନୁୟାରୀ ୨୭ ରେ ମିଳିଲା ତାଙ୍କ ମୃତ୍ୟୁ ଖବର ।

ବିଳମ୍ବିତ ରାତିରେ ସେ ଠିକ୍‌ ଠାକ୍‌ ଥିବା କଥା ଚାଟରେ ଲେଖିଥିଲେ ହେଁ ପରଦିନ ସକାଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ମୃତଦେହକୁ ଯାଜପୁର କୁଆଖିଆ ନିକଟରେ ଫିଙ୍ଗି ଚାଲି ଯାଇଥିଲେ । ପରେ ପୋଲିସ ତାଙ୍କ ବାପାଙ୍କୁ ଏ ବିଷୟରେ ସୂଚନା ଦେଇଥିଲା । ଝରାଫୁଲ ତାଙ୍କର ଲୋକଲ୍‌ ଗାଡିଆନ୍‌ ଥିବା ସାର୍‌ଙ୍କ ଝିଅର ଜନ୍ମଦିନରେ ଯୋଗଦେବା ପାଇଁ ଜାନୁଆରୀ ୨୪ ତାରିଖେର ମୟୁରଭଞ୍ଜରୁ ଭୁବନେଶ୍ୱର ଆସିଥିଲା । ଝାଡେଶ୍ୱର ବସ୍‌ରେ ଭୋର ସମୟରେ ବାହାରିଥିଲେ । ଭୁବନେଶ୍ୱରରେ ପହଞ୍ଚି ୨୫ ତାରିଖରେ ଜନ୍ମଦିନରେ ସାମିଲ୍‌ ହୋଇଥିଲେ । ଏହାପରେ ୨୬ ତାରିଖରେ ୧୦ଟା ୪୫ରେ ଜୟଦେବ ବିହାରରୁ ଝାଡେଶ୍ୱର ବସ୍‌ରେ ବସିଥିଲେ । ଏହାର ୫ ମିନିଟ୍‌ ପରେ ତାଙ୍କ ବାପା କଲ୍‌ କରିଥିଲେ । ଶୌଚ ହେବା ପାଇଁ ସେ ବସ୍‌ରୁ ବାଣୀବିହାର ନିକଟରେ ଓହ୍ଲାଇପଡିଥିବା ଏବଂ ପର ବସ୍‌ରେ ଯିବେ ବୋଲି କହିଥିଲେ ।

ସୂଚନାଥାଉ ଯେ ମୃତକ ରମାଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ତରୁଣ୍ଡେଇପଶୀ ଗାଁର ରମାକାନ୍ତ ନାୟକଙ୍କ ଝିଅ । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟରେ ଥିବା ମୂଳାପାଳ ଦିଆଲଖଣ୍ଡି ରାସ୍ତାରେ ଜଣେ ଯୁବତୀଙ୍କର ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ, ଏମିତିକି ଛାତ୍ରୀଙ୍କ ମୃତ ଦେହକୁ ଦୁଇ ଜଣ ଯୁବକ ନେଉଥିବା ବି କିଛି ଲୋକେ ଦେଖିଥିଲେ, ଯାହାକୁ ରାସ୍ତା କଡ଼ରେ ଫିଙ୍ଗି ଦୁବୃତ୍ତ ଚମ୍ପଟ ମାରିଥିଲେ । ମୃତଦେହ ନିକଟରେ ଏକ ବ୍ୟାଗ ମିଳିଥିଲା । ତେବେ ଝରାଫୁଲଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *