ଲୁଟରେ କେବଳ ପୁରୁଷମାନେ ମାହିର ନଥାନ୍ତି, ସେଥିରେ ମଧ୍ୟ ମହିଳା ଆଗୁଆ । ଆଜ୍ଞା ହଁ, ନିକଟରେ ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ଲୁଟ । ରାତି ବେଶୀ ହେଲେ ରାସ୍ତାରେ ଯାଉଥିବା ଲୋକ ହେଉଥିଲେ ଟାର୍ଗେଟ । ଜଣେ ଯୁବତୀ ଅଟକାଉଥିଲେ ବାଇକ କିମ୍ବା କାର ଆଉ ଲୁଟି ନେଉଥିଲେ ଲକ୍ଷାଧିକ ଟଙ୍କା ।
ସୂଚନା ଅନୁଯାୟୀ ଏ କାମରେ ସମ୍ପୃକ୍ତ ଥିଲେ ୩ ଜଣିଆ ସଦସ୍ୟ ଥିବା ଏକ ଗ୍ୟାଙ୍ଗ । ଯୁବତୀ ଜଣକ ନିଛାଟିଆ ସ୍ଥାନରେ ଠିଆ ହୁଅନ୍ତି । ରାତିରେ ବଢିଲେ ଏକୁଟିଆ ରାସ୍ତାରେ ଠିଆ ହେଇ ଅପେକ୍ଷା କରନ୍ତି କାର କିମ୍ବା ବାଇକକୁ । ରାତି ଅଧିଆ ଯୁବତୀକୁ ଦେଖି ଗାଡ଼ି ଚାଳକ ଅଟକିବା ବି ସ୍ଵାଭାବିକ । ତାପରେ ଆରମ୍ଭ ହେଉଥିଲା ଲୁଟ ।
ତେବେ ପୁରା ଗ୍ୟାଙ୍ଗ ଧରାପଡ଼ିଛି ଭୁବନେଶ୍ୱର କମିଶନରେଟ ପୋଲିସ ହାତରେ । ଯୁବତୀ ଜଣଙ୍କ ନାଁ ପ୍ରିୟଙ୍କା ମହାନ୍ତି ଓ ସେ ରାଜଧାନୀ ଖଣ୍ଡଗିରି ପାଖ ଭରତପୁରରେ ଏହି କାଣ୍ଡ ଭିଆଉଥିଲେ । ନିଜ ୨ ସହଯୋଗୀଙ୍କ ମାଧ୍ୟମରେ ସାମୂହିକ ଆକ୍ରମଣ କରି ଲୁଟ କରୁଥିଲେ ମନିପର୍ସ, ମୋବାଇଲ ଓ ଦାମୀ ଜିନିଷ । ଏନେଇ ଖଣ୍ଡଗିରି ଅଞ୍ଚଳରେ ଏକ ଅଭିଯୋଗକୁ ଆଧାର କରି ତଦନ୍ତ ବେଳେ ନିଜେ ପୋଲିସ ଆରମ୍ଭ କରିଥିଲା ପ୍ରିୟାଙ୍କାକୁ ଧରିବା ଅପରେସନ ।
ପୋଲିସ ଅପରେସନ ଅନୁଯାୟୀ କଳିଙ୍ଗ ଷ୍ଟୁଡିଓ ଛକରେ ଠିକ୍ ସମାନ ଢଙ୍ଗରେ ଲୁଟ ବେଳେ ପ୍ରିୟଙ୍କାକୁ ଗିରଫ କରିଛି କମିଶନରେଟ ପୋଲିସ । କେବଳ ପ୍ରିୟଙ୍କା ନୁହନ୍ତି ତାଙ୍କ ସାଙ୍ଗରେ ତାଙ୍କ ସହଯୋଗୀ ଗଞ୍ଜାମ ପୋଲସରରାର ରାହୁଲ ମହାନ୍ତି ଓ ନାରୟଣ ମହାନ୍ତିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୩ ବାଇକ, ଛୁରୀ, କଟୁରି ଭୁଜାଲି ଓ ୭ ମୋବାଇଲ ଜବତ କରିଛି ପୋଲିସ ।