ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣର ବୃଦ୍ଧି ଭିତରେ ବି ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟର ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ଗୋଟିଏ ବି କରୋନା ମାମଲା ନାହିଁ । ଏହି ଜିଲ୍ଲାଟି ପଶ୍ଚିମ ଓଡ଼ିଶାର । ସୂଚନା ଅନୁଯାୟୀ ଗତକାଲି ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଜିଲ୍ଲାରେ ଆଉ ଗୋଟିଏ ବି ନୂଆ ମାମଲା ସାମ୍ନାକୁ ଆସି ନାହିଁ ।
ରିପୋର୍ଟ ଅନୁସାରେ ଏହି ପଶ୍ଚିମ ଓଡ଼ିଶା ଜିଲ୍ଲା ସୁବର୍ଣ୍ଣପୁରରେ ଜୁଲାଇ ୧୬ ତାରିଖ ସୁଦ୍ଧା ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଥିଲେ । ମାତ୍ର ଏବେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘୋଷଣା କରିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଥିଲାବେଳେ ସୁବର୍ଣ୍ଣପୁର ଜିଲ୍ଲା ଉଦାହରଣ ପାଲଟିଛି ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର କେବଳ ଦୁଇଟି ପଦକ୍ଷେପ ଦ୍ୱାରା ଆଜି ଜିଲ୍ଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ବୋଲି କୁହାଯାଉଥିଲା ବେଳେ ଏହା ଆଜି ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଦୃଷ୍ଟାନ୍ତ ସାଜିଛି । ପ୍ରଶାସନ ପାଳନ କରିଥିବା ଦୁଇଟି ପଦକ୍ଷେପ ହେଲା : ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ଯାଏଁ କର୍ଫ୍ୟୁ ଏବଂ ଶନିବାର-ରବିବାର ସାପ୍ତାହିକ ସଟଡାଉନ । ଏମିତିକି ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ସମସ୍ତଙ୍କ ପାଇଁ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି ।