କରୋନା ଟିକାକୁ ନେଇ ଲୋକଙ୍କ ମନରେ ଆଶ୍ଵସ୍ତି ଆସିଲା ବେଳେ ପୁଣିଥରେ ଭୟ ଛନକା କଲାଣି ରାଜ୍ୟବାସୀଙ୍କୁ । କଟକର କଣ୍ଟାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପରିବାରର ୧୩ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସୂଚନା ମିଳିଛି । ଏହାପରେ କଣ୍ଟାପଡ଼ାର ଖଣ୍ଡସାଇଲୋ ଗାଁ ନୂଆସାହି ୧ ନମ୍ବର ୱାର୍ଡକୁ ‘କଣ୍ଟେନମେଣ୍ଟ ଜୋନ୍’ ହିସାବରେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ତେବେ ପୂର୍ବରୁ ଡିସେମ୍ବର ୨୨ ତାରିଖ ଦିନ ଆଠଗଡ଼ରେ ହୋଇଥିବା ଆଣ୍ଟିଜେନ୍ ଟେଷ୍ଟ୍ରୁ ୯ ଜଣଙ୍କ ପଜିଟିଭ୍ ମାମଲା ଯୋଗୁ ଯୋରନ୍ଦା ପଞ୍ଚାୟତର ପାଇକେରାପୁର ଗାଁକୁ ୫ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଏପଟେ ୩ ଦିନ ମଧ୍ୟରେ କଟକ ଜିଲ୍ଲାରେ ଦୁଇଟି ‘କଣ୍ଟେନ୍ମେଣ୍ଟ ଜୋନ୍’ ଘୋଷଣା ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରରେ ଚାରିଆଡ଼େ ଆଶଙ୍କା ଦେଖା ଦେଇଛି । ତେବେ କଟକ ସହରରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମେ ହ୍ରାସ ପାଇ ୧୦୦ ତଳକୁ ଖସିଛି ଯାହା ଏକପ୍ରକାର ଆଶ୍ଵସ୍ତି ଦେଇଛି । ମାତ୍ର ଗତ ୩ ଦିନ ଭିତରେ ଆଠଗଡ଼ ଏବଂ କଣ୍ଟାପଡ଼ା ବ୍ଲକ୍ରେ ଦୁଇ ଗାଁ ‘କଣ୍ଟେନମେଣ୍ଟ୍ ଜୋନ୍’ ଘୋଷଣା ହେବା ଭୟର ବାତାବରଣ ସୃଷ୍ଟି କରିଛି । ତେବେ ଆଗକୁ ସ୍ଥିତି ବିଗିଡ଼ିଯିବାର ଆଶଙ୍କାକୁ ଏଡ଼ାଇବା ପାଇଁ କରୋନା କଟକଣାକୁ କଡ଼ାକଡ଼ି ଲାଗୁ କରିବା ନେଇ ପ୍ରଶାସନ ଗୁରୁତ୍ୱ ଦେଇଛି ।

ଖବର ଅନୁଯାୟୀ କଟକ ଜଗତପୁରରେ ଏକ ପଟ୍ରୋଲ୍ ଟାଙ୍କିରେ କାର୍ଯ୍ୟରତ କଣ୍ଟାପଡ଼ା ନୂଆସାହିର ଜଣେ ୪୫ ବର୍ଷୀୟ ବ୍ୟକ୍ତି ପ୍ରଥମେ କରୋନା ଆକ୍ରାନ୍ତ ହେଲେ । ତାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ ଯେତେବେଳେ କି ତାଙ୍କର ମୃତ୍ୟୁ ହେଲା । ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପ୍ରଶାସନ ତରଫରୁ ବାଧ୍ୟତାମୂଳକ ଭାବରେ ତାଙ୍କ ପରିବାର ସମସ୍ତ ସଦସ୍ୟଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟରେ ୧୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ ତୁରନ୍ତ ପ୍ରାୟ ୩୦ ପରିବାର ବିଶିଷ୍ଟ ଏହି ୱାର୍ଡ଼କୁ ‘କଣ୍ଟେନମେଣ୍ଟ୍ ଜୋନ୍’ ଘୋଷଣା କରାଯାଇଛି । ନିୟମାନୁସାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୋନା କଟକଣା ଲାଗୁ ହେବ ବୋଲି ଗ୍ରାମାଞ୍ଚଳ ଏସ୍ପି, ଗୋବିନ୍ଦପୁର ଥାନା, କଣ୍ଟାପଡ଼ା ତହସିଲଦାରଙ୍କୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।
ସୂଚନାଥାଉ ଯେ ଆଜି କଟକ ସହରରୁ ମାତ୍ର ୮ ଟି ମାମଲା ଚିହ୍ନଟ ହେଲେବେଳେ ସେମାନଙ୍କ ଭିତରୁ ୫ ଜଣ ସ୍ଥାନୀୟ ଲୋକ ୩ ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ବୋଲି ଜଣାପଡ଼ିଛି । ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ତ୍ରିଶୁଳିଆରୁ ଏବଂ ଲିଙ୍କରୋଡ୍, ଶଙ୍କରପୁର, ସିଡିଏ ସେକ୍ଟର-୬ରୁ ଜଣେ ଲେଖାଏଁ ବୋଲି ଖବର ମିଳିଛି ।