ସଂକଟରେ ବିଶ୍ୱ : କରୋନାଭାଇରସ ମହାମାରୀ ବିଶ୍ୱର ଏହି ସବୁ ଦେଶକୁ ଘେରି ସାରିଲାଣି, ପଢ଼ନ୍ତୁ WHOର ରିପୋର୍ଟ

ତ୍ଵରିତ ବେଗରେ ନିଜର କାୟା ବିସ୍ତାର କରିଚାଲିଛି ଏଇ ମାରାତ୍ମକ କରୋନାଭାଇରସ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଏପର୍ଯ୍ୟନ୍ତ ସମୁଦାୟ ପୃଥିବୀର ୧୯୬ଟି ଦେଶକୁ ଆବୋରି ବସିଲାଣି ଏହି ଭାଇରସ । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୩, ୭୫,୪୯୮ ଜଣ ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହୋଇଥିବାବେଳେ ୧୬, ୩୬୨ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।

ଏହାସହିତ ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାନୟରେ ପ୍ରଥମଆଡୁ  ରହିଥିବା ୫ଟି ଦେଶଗୁଡ଼ିକ ହେଲା ଚୀନ, ଇଟାଲି, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ ଓ ଜର୍ମାନୀ ରହିଛି । ତେବେ ଚୀନ ଓ ଇଟାଲୀ ପରେ ଆମେରିକା ଏହି ମାରାତ୍ମକ ମହାମାରୀର କେନ୍ଦ୍ର ହେବାକୁ ଯାଉଛି ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।  

ଗତ ଦୁଇ ଦିନରେ ଇଟାଲୀରେ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି ସତ ତଥାପି ଗତକାଲି ଗୋଟିଏ ଦିନରେ ୭୪୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଇଟାଲିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୮୨୦କୁ ବୃଦ୍ଧି ପାଇଛି ।

ସ୍ପେନରେ ମଧ୍ୟ ପରିସ୍ଥିତି ଖୁବ ଜଟିଳ ହୋଇପଡ଼ିଛି । ଗତକାଲି ଗୋଟିଏ ଦିନରେ ୫୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମୋଟ ୨,୬୯୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି WHO ତରଫରୁ ସୂଚନା ମିଳିଛି । ତେବେ ଗତ ୨୪ ଘଣ୍ଟାରେ ସ୍ପେନରେ ୬୬୦୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କରୋନାକୁ ମୁକାବିଲା କରିବା ପାଇଁ ୨୨ଟି ଦେଶରେ ଲକଡାଉନ ଘୋଷଣା ହୋଇଛି । ଫଳରେ ପ୍ରାୟ ୨୨୦ କୋଟିରୁ ଅଧିକ ଲୋକଙ୍କ ଉପରେ କଟକଣା ଲାଗୁହୋଇଛି ।

Leave a Reply

Your email address will not be published. Required fields are marked *