ଉତ୍ତରପ୍ରଦେଶର ବରେଲିରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ହତ୍ୟା ମାମଲା ପ୍ରତ୍ୟାହାର ନକରିବାରୁ ଦୁର୍ବୃତ୍ତମାନେ ଟପିଗଲେ ସବୁ ସୀମା । ପ୍ରଥମେ ସେମାନେ ମହିଳାଙ୍କୁ ମାରପିଟ କରିଥିଲେ ଏବଂ ତାପରେ ତାଙ୍କ ଯୌନାଙ୍ଗରେ ପୁରାଇଥିଲେ ଲୁହା ରଡ଼ । ପୀଡ଼ିତାଙ୍କ ପୁଅ ଅଭିଯୋଗ କରିଛି ଯେ ଦୁର୍ବୃତ୍ତମାନେ ମା’ ସହିତ ଏତେ ଅତ୍ୟାଚାର କଲାପରେ ଶେଷରେ ତାଙ୍କ ବେକରୁ ସୁନା ଚେନ୍କୁ ବି ଛଡ଼ାଇ ନେଇଥିଲେ । ମାତ୍ର ଯେତେବେଳେ ଯୁବକ ଜଣକ ଅଭିଯୋଗ ନେଇ ଥାନାରେ ପହଞ୍ଚିଥିଲେ ପୋଲିସ ରିପୋର୍ଟ ଲେଖିବାକୁ ମନା କରିଦେଇଥିଲା ।
ଘଟଣାଟି ଜିଲ୍ଲାର ବାରଦାରୀ ଥାନା ଅଞ୍ଚଳରେ ଘଟିଛି । ପୀଡ଼ିତ ଯୁବକଙ୍କ କହିବାନୁଯାୟୀ, ତାଙ୍କ ପିତାଙ୍କୁ ୧୧ ବର୍ଷ ପୂର୍ବେ ରାଜନଗର ନିବାସୀ ବାବୁରାମ ଏବଂ ନୱାଡା ବାସିନ୍ଦା ରାଜେନ୍ଦ୍ର ବିଷ ଦେଇ ହତ୍ୟା କରିଥିଲେ । କୋର୍ଟରେ ଏହି ମାମଲା ବିଚାରଧୀନ ଅଛି । ହେଲେ ଫେବୃୟାରୀ ୧୦ ତାରିଖ ଦିନ ରାଜେନ୍ଦ୍ର ଏବଂ ବାବୁରାମ ୭, ୮ ଜଣ ଲୋକଙ୍କୁ ଧରି ତାଙ୍କ ଘରକୁ ଆସିଥିଲେ । ମା’କୁ ଏକୁଟିଆ ଦେଖି ପ୍ରଥମେ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ । ଯେତେବେଳେ ମା’ ମାମଲା ପ୍ରତ୍ୟାହାର କରିବାକୁ ମନା କରିଦେଇଥିଲେ, ସେମାନେ ମା’ଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ଯୌନାଙ୍ଗରେ ଲୁହା ରଡ଼ ପୁରାଇଦେଇଥିଲେ ।
ସେତିକିରେ ସରିନଥିଲା ତାଙ୍କ ନିର୍ଯ୍ୟାତନା ଯେ ମା’ ଚେତାଶୂନ୍ୟ ଥିବା ଅବସ୍ଥାରେ ଅଭିଯୁକ୍ତମାନେ ମହିଳାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ । ପରେ ଘରେ ପହଞ୍ଚି ସବୁ ଘଟଣା ଜାଣି ମା’ଙ୍କୁ ନେଇ ଯେତେବେଳେ ବାରଦାରୀରେ ଥାନାରେ ପହଞ୍ଚିଲି, ପୋଲିସ ରିପୋର୍ଟ ଲେଖିବାକୁ ଏବଂ ତାଙ୍କ ମା’ଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ମନା କରି ଦେଇଥିଲା । ତା’ପରେ ଯାଇ ପୀଡ଼ିତା କୋର୍ଟରେ ନ୍ୟାୟ ପାଇଁ ନିବେଦନ କରିଥିଲେ ଏବଂ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତଙ୍କ ବିରୋଧରେ ଗୁରୁତର ବିଭାଗରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ବୋଲି ପୀଡ଼ିତାଙ୍କ ପୁଅ ବୟାନରେ କହିଛି ।
ସେପଟେ ବାରଦାରୀ ଥାନାର ଦାୟିତ୍ୱରେ ଥିବା ଶିତାନସୁ ଶର୍ମା କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଧାରାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଖୋଜାଖୋଜି କରାଯାଉଛି ।