ବ୍ରହ୍ମପୁର : ପାପକୁ ଘୃଣା କର ପାପୀକୁ ନୁହେଁ । ରୋଗକୁ ନାକ ଟେକ ରୋଗୀକୁ ନୁହେଁ । ସବୁକୁ ପାଶୋରି କିନ୍ତୁ ଆଜିର ମଣିଷ ପାଲଟିଯାଇଛି ହୃଦୟହୀନ, ଅମାନବ । ପ୍ରାୟ ୨୦ ଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହେଲେ ଜଣେ ଅସୁସ୍ଥ ମଣିଷ । ଲୋକେ ଦେଖିଲେ । ଭିଡ଼ିଓ କଲେ । ମାତ୍ର କେହି ଆଗକୁ ଆସି ତାଙ୍କୁ ସାହାଯ୍ୟ କଲେ ନାହିଁ । କରୋନା ରୋଗୀ ଭାବି କେହି ତାଙ୍କୁ ହସ୍ପିଟାଲକୁ ନେଲେ ନାହିଁ । ଆମ୍ବୁଲାନ୍ସ ବି ଆସିଲା ଓ ଫେରିଗଲା । ଯନ୍ତ୍ରଣା ସହି ନପାରି ଶେଷରେ ଅସୁସ୍ଥ ବ୍ୟକ୍ତି ଜଣକ ସବୁଦିନ ପାଇଁ ଆଖି ବୁଜିଲେ ।
ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ବ୍ରହ୍ମପୁରର ଶ୍ରୀରାମ ନଗର ଅଞ୍ଚଳରେ । ସୂଚନା ଅନୁଯାୟୀ ବ୍ୟକ୍ତି ଜଣଙ୍କ ନାମ ଶିବପ୍ରସାଦ ଓ ସେ ୫୫ ବର୍ଷ ବୟସର । ଗଛ ମୂଳେ ପ୍ରାୟ ୨୦ ଘଣ୍ଟା କାଳ ପଡ଼ି ସେ ଛଟପଟ ହେଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଶିବପ୍ରସାଦଙ୍କ ମୃତ୍ୟୁ ପରେ ଗଣମାଧ୍ୟମ ସାମ୍ନାରେ ତାଙ୍କ ଝିଅ କାନ୍ଦି କାନ୍ଦି ଅଭିଯୋଗ ଆଣିଛନ୍ତି ଆମ୍ବୁଲାନ୍ସ ବିରୋଧରେ । ସେ କହୁଛନ୍ତି ଯେ ବାପାଙ୍କ ମୋବାଇଲ ଚୋରି ହୋଇଛି ଅଥଚ କରୋନା ରୋଗୀ ଭାବି ତାଙ୍କୁ କେହି ଛୁଇଁ ସାହାଯ୍ୟ କରିନାହାନ୍ତି ।
ମାନବିକତା ଓ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ବୁକୁ ପଠାଇ କାନ୍ଦିଛନ୍ତି ଶିବପ୍ରସାଦଙ୍କ ଝିଅ ଗଣମାଧ୍ୟମ ସାମ୍ନାରେ । ସେ ଆହୁରି ବି କହୁଛନ୍ତି ଯେ ବାପା ମୋର ଜଣେ ସମାଜ ସେବକ ଥିଲେ ଆଉ ଆଜି ଯେତେବେଳେ ସେ ଯନ୍ତ୍ରଣା ଛଟପଟ ହେଉଥିଲେ ସେ ସମୟରେ ସାମାନ୍ୟ ମଣିଷପଣିଆ କାହା ପାଖରେ ଦିଶିଲାନି ।
ଘଟଣାଟି ଏହିପରି । ଶିବପ୍ରସାଦ କୌଣସି ଏକ କାମରେ ବାହାରକୁ ଯାଇଥିଲେ ଓ ନଫେରିବାରୁ ବଡବଜାର ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । କିନ୍ତୁ ଫେରିଲାବେଳକୁ ଶୁଣିଲେ ତାଙ୍କ ବାପା ପାଖ ସାହିର ଏକ ଗଛମୂଳେ ପଡ଼ିଛନ୍ତି । ନା କେହି ପାଣି ଟୋପେ ଦେଲେ ନା ସହଯୋଗର ହାତ ବଢେଇଲେ, ବରଂ ଭିଡ଼ିଓ କରି ତାଙ୍କ ଝିଅ ମୋବାଇଲ ପଠାଇଲେ ସ୍ଥାନୀୟ ଲୋକେ । ଦେଖଣାହାରୀଙ୍କ ଭିତରୁ ଯଦିଓ କିଏ ଆମ୍ବୁଲାନ୍ସକୁ ଡାକିଥିଲା ହେଲେ ଆମ୍ବୁଲାନ୍ସ ବି ହସ୍ପିଟାଲ ନେଲାନି ଶିବପ୍ରସାଦଙ୍କୁ ।