ଡାକ୍ତରଙ୍କ ଭୁଲ ଅପରେସନରୁ ଅକାମୀ ହୋଇଗଲେ ଦେବକୀ ; ବଂଚିବାକୁ ଇଚ୍ଛା ଥିଲେ ମଧ୍ୟ ଅସହ୍ୟ ହେଉଛି ଶରୀର ଯନ୍ତ୍ରଣା

ସଂସ୍କାର : ଡାକ୍ତରଙ୍କ ଭୁଲ୍ ପାଇଁ ଅସହ୍ୟ ଯନ୍ତ୍ରଣା ସହ୍ୟ କରୁଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ହାତିବାରୀ ଗ୍ରାମର ପର୍ଶୁରାମ ଦଳାଇଙ୍କ ଝିଅ ଦେବକୀ ଦଳାଇ। ତାଙ୍କୁ ଦେଖିଲେ ଆଉ ତାଙ୍କ ଯନ୍ତ୍ରଣାଭରା କଥା ଶୁଣିଲେ ଆପଣଙ୍କ ହୃଦୟରେ ବି କୋହ ଜାତ ହେବ। କାରଣ ଡାକ୍ତରଙ୍କ ସାମାନ୍ୟ ଭୁଲ ପାଇଁ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ଦେବକୀ । ବଂଚିବାକୁ ଇଚ୍ଛା ଥିଲେ ମଧ୍ୟ ଅସହ୍ୟ ହେଉଛି ଶରୀର ପୀଡା।

ତେବେ ଜନ୍ମରୁ ସମ୍ପୂର୍ଣ୍ଣ ଭଲ ଶିଶୁ ଭାବରେ ଜନ୍ମଗ୍ରହଣ କରିଥିଲେ ଦେବକୀ । ମାତ୍ର ୭ ମାସ ବୟସରେ ତାଙ୍କ ବେକରେ ଛୋଟ ବଥଟିଏ ହେଲା । ଦିନକୁ ଦିନ ତାହା ବଢିବାକୁ ଲାଗିଲା। ଏହି ବଥ ବଢ଼ୁଥିବାର ଦେଖି ଦେବକୀଙ୍କ ମା ବାପା ଡାକ୍ତରଙ୍କ ପାଖକୁ ଝିଅକୁ ନେଇଗଲେ। ଆଉ ଏହି ବଥଟିକୁ ଦେଖି ଡାକ୍ତର କହିଥିଲେ ଛୋଟ ଅପରେସନଟେ କରିଦେଲେ ବେକ ଭଲ ହୋଇଯିବ । ହେଲେ ଅପରେସନ୍ କଲାବେଳେ ଭୁଲରେ ବେକର ଗୋଟେ ଶିର କାଟିଦେଲେ ଡାକ୍ତର । ଆଉ ଡାକ୍ତରଙ୍କ ଏହି ଭୁଲ ଦେବକୀଙ୍କ ଜୀବନ ଉଜାଡି ଦେଲା । ବେକ ଗୋଟେପଟକୁ ମୋଡିହୋଇ ବଙ୍କା ହୋଇଗଲା । ହାତ ବି ଠିକ ଭାବେ କାମ କଲାନି।

ଡାକ୍ତରଙ୍କ ଭୁଲ ପାଇଁ ଦେବକୀ ଆଜି କଲବଲ ହେଉଛନ୍ତି । ଆଉ କାହାରି ଉପରେ ତାଙ୍କର ଭରଷା ନାହିଁ। ଆଗକୁ ପଛକୁ କେହି ନାହିଁ ଗୋଟିଏ ବୋଲି ଝିଅ ଦେବକୀ । ତାକୁ ବି ଏମିତି ଦଣ୍ଡ ଦେଲା ବିଧାତା । ଝିଅକୁ ଭଲ କରିବାକୁ ଯାଇ ଯାହା ଯେତିକି ଜମି , ଘରର ବାସନକୁସନ ସବୁ ବିକି ଦେଲେ ମା ବାପା । ତେବେ ଅନେକ ଚିକିତ୍ସା ପରେ ଦେବକୀ ଚାଲି ତ ପାରିଲା ହେଲେ ବେକ ସେମିତି ବଙ୍କା ହୋଇ ରହିଗଲା । ଝିଅର ଏ କଷ୍ଟ ଦେଖି ନା ସହିନାରୁଛନ୍ତି ନା କାହାକୁ କହିପାରୁଛନ୍ତି ମା’ । ଖାଲି ଠାକୁରଙ୍କୁ ହାତ ଟେକି ରହିଛନ୍ତି ଯାହା । ତେବେ ଅନ୍ୟପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଜାଣିବା ପରେ ଆବଶ୍ୟକ ସାହାଯ୍ୟ ଯୋଗାଇ ଦେବାକୁ କହିଛନ୍ତି ସୁକିନ୍ଦା ବିଡିଓ । ଦେବକୀଙ୍କ ଅବସ୍ଥା ଦେଖିଲେ ପାଖ ଲୋକ ବି ବିକଳ ହୁଅନ୍ତି । ଆବଶ୍ୟକ ସରକାରୀ ସହୟତା ମିଳିଲେ ଦେବକୀଙ୍କ କିଛି ସ୍ୱପ୍ନ ସାକାର ହୋଇପାରନ୍ତା ବୋଲି ସାଧାରଣ ଲୋକେ କହୁଛନ୍ତି।

Leave a Reply

Your email address will not be published. Required fields are marked *