ଦିନକୁ ଦିନ ଦୁଷ୍କର୍ମ ସହିତ ଅତ୍ୟନ୍ତ ବର୍ବରତା ବଢି ବଢି ଚାଲିଛି । ସେହିପରି ଏକ ଅତି ଅମାନୁଷିକ ଘଟଣା ଘଟିଛି ବିହାରର ମଧୁବନୀରେ । ଜଣେ ୧୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣବଳାତ୍କାର କଲାପରେ ଅତି ନିର୍ମମ ଭାବରେ ତା ଆଖିରେ ଆଘାତ ଦିଆଯାଇଛି । କାଳେ ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନାଇ ଦେବ ସେ ଭୟରେ ଏପରି କରିଛନ୍ତି ଅଭିଯୁକ୍ତମାନେ । ତେବେ ପୀଡ଼ିତାଙ୍କ ଦୁଇଟି ଯାକ ଆଖି ନଷ୍ଟ ହୋଇଯାଇଥିବାବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗତକାଲି ହରଲାଖି ଥାନା ଅଧୀନସ୍ଥ କଉୱାହା ବରହି ଗାଁରେ ଘଟିଥିଲା ଏହି ଅଘଟଣ । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏସ୍ପି ସତ୍ୟ ପ୍ରକାଶଙ୍କ କହିବାନୁଯାୟୀ ୧୫ ବର୍ଷୀୟା ନାବାଳିକା ଛେଳି ଚରାଇବାକୁ ଯାଇଥିବା ସମୟରେ ସହିତ ଉକ୍ତ ଅଘଟଣା ଘଟିଛି । ପୀଡ଼ିତାଙ୍କୁ କ୍ଷେତରେ ଅଚେତ ଅବସ୍ଥାରେ ପାଇ ତାଙ୍କର କେତେଜଣ ସାଙ୍ଗ ତାଙ୍କ ପରିବାରକୁ ଖବର ଦେଇଥିଲେ ଏବଂ ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ତାଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେଠାକାର ଡାକ୍ତର କିନ୍ତୁ ପୀଡ଼ିତାଙ୍କୁ ମଧୁବନୀ ସଦର ହସ୍ପିଟାଲ୍କୁ ପଠାଇ ଦେଇଥିଲେ ।