ଖାଦ୍ୟରେ ଅପମିଶ୍ରଣ ନୂଆ କଥା ନୁହେଁ । ବ୍ୟବସାୟିକ ଲାଭ ପାଇଁ ଲୋକେ ମାନବିକତା ଭୁଲିଯାଆନ୍ତି ଏ କଥା ବି ନୂଆ ନୁହେଁ । ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନାହାଳପୁର ଗାଁରେ ଘଟିଛି ଗୋଟେ ଅଜବ ଘଟଣା । ଏକ ଆମେରିକୀୟ କମ୍ପାନୀ କୁକୁର ଖାଦ୍ୟକୁ ବେସନ କହି ଲୋକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ଆସିଛି । ଏମିତିକି ସେ ବେସନ ବନାମ କୁକୁର ଖାଦ୍ୟ ଖାଇ କିଛି ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ଏହାପରେ ସ୍ଥାନୀୟ ଉତ୍ତେଜନା ବି ଦେଖାଦେଇଛି ।
ସୂଚନା ଅନୁଯାୟୀ ନାହାଳପୁର ଗାଁର ଅବସରପ୍ରାପ୍ତ ସେନା ଅଧିକାରୀ ଧନେଶ୍ୱର ଦାଶ ଓ ପ୍ରଭାତ କୁମାର ଦାଶ ଏନେଇ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ନରେନ୍ଦ୍ରପୁର ଫାଣ୍ଡିରେ ଏତଲା ଦିଆ ଗଲା ହେଲେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି ଏତଲା ରଖି ନଥିଲେ । ଫଳରେ ଅଭିଯୋଗକାରୀମାନେ ନେମାଳ ଥାନା ଗଲେ ଓ ଏ ସଂକ୍ରାନ୍ତରେ ନେମାଳ ଥାନାରେ ଲିଖିତ ଅଭିଯୋଗ ଦେଲେ ।
ଅଭିଯୋଗକାରୀଙ୍କ କହିବାନୁଯାୟୀ ନାହାଳପୁର ବଜାରରେ ଥିବା ଏକ ତେଜରାତି ଦୋକାନରେ ଆମେରିକୀୟ କମ୍ପାନୀ କୁକୁର ଖାଦ୍ୟକୁ ବେସନ କହି ଲୋକଙ୍କୁ ବିକ୍ରି କରାଯାଇଛି । ଲୋକେ ଏହାକୁ କିଣି ଖାଇବା ପରେ କିଛି ଲୋକ ବାନ୍ତିର ଶିକାର ହୋଇଛନ୍ତି । ଆମେରିକାରେ ତିଆରି ଏହି କୁକୁର ଖାଦ୍ୟକୁ ଦୋକାନୀ କିପରି ଆଣି ଏଠାରେ ବିକ୍ରି କରୁଛି ତାହା ନିହାତି ତଦନ୍ତ ସାପେକ୍ଷ ।