ରଥଯାତ୍ରା ପରେ ଦୁର୍ଗାପୂଜାକୁ ଲୋକଙ୍କ ଭିତରେ ବଢୁଛି ଆଶା ଓ ଉଦ୍ଦୀପନା । ଚଳିତ ବର୍ଷ କଟକ ଦୂର୍ଗା ମଣ୍ଡପରେ ହୋଇପାରିବ ମା’ ଆରାଧନା । ଗହଳି ନକରି ପୂଜା କମିଟି ଏବର୍ଷ ଦୁର୍ଗାପୂଜା କରିପାରିବେ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ଏ ନିଷ୍ପତ୍ତି ପରେ କଟକବାସୀ ତଥା ପୂଜା କମିଟି ଲୋକେ ଖୁବ୍ ଖୁସି ଅଛନ୍ତି ।
ଗତକାଲି କୋଭିଡ଼ ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ । କେବଳ କଟକ କାହିଁକି ଚଳିତ ବର୍ଷ କୌଣସି ମଣ୍ଡପରେ ଦୁର୍ଗାପୂଜା ହେବ ନାହିଁ ବୋଲି ସେ ସୂଚନା ଦେଇଥିଲେ । ପୂଜା ହେଲେ ସହରବାସୀ ସାମାଜିକ ଦୂରତା ଭୁଲିଯିବେ, ଫଳରେ ଆକ୍ରାନ୍ତଙ୍କ ଅସମ୍ଭାଳ ହୋଇଯିବ । ତେବେ ଆଜି ପୁଣି ଜିଲ୍ଲାପାଳ ମଣ୍ଡପରେ ପୂଜାକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି ।
ଅନ୍ୟପକ୍ଷରେ କଟକ ସହର ସହିତ ଦୁର୍ଗାପୂଜାର ଇତିହାସ ଦୀର୍ଘ ୫୦୦ ବର୍ଷର । ଏ ପରମ୍ପରା ଭାଙ୍ଗି ନଯାଉ ବୋଲି ହାଇକୋର୍ଟରେ ହୋଇଥିଲା ଏକ ଜନସ୍ଵାର୍ଥ ମାମଲା । ଏହି ମାମଲା ରୁଜୁ କରିଥିଲେ କଟକ ବାଲୁବଜାର ପୁଜା କମିଟି ସଭାପତି ତଥା ଆଇନିଜୀବି ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ।

ପିଟିସନରେ ପୁଜା କମିଟି ସଭାପତି ତଥା ଆଇନିଜୀବି ସୂର୍ଯ୍ୟକାନ୍ତ ଲେଖିଥିଲେ ଯେ କଟକ ଦଶହରା ପୂଜା, ବିଶେଷ କରି ବାଲୁବଜାର ସ୍ଥିତ ବିନୋଦବିହାରୀ ପୀଠ ସହିତ ୫୦୦ ବର୍ଷର ପରମ୍ପରା ଯୋଡ଼ି ହୋଇରହିଛି । ଅଗଣିତ ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ହେଉଛି କଟକ ଦଶହରା ପୂଜା । ତେଣୁ କୋଭିଡ଼ କଟକଣାର ଆଳରେ ଏ ପୂଜାକୁ ବନ୍ଦ ନକରି ବରଂ ନିର୍ଦ୍ଦିଷ୍ଟ ସର୍ତ୍ତ ରଖି ପୂଜା ପାଇଁ ଅନୁମତି ମିଳୁ । ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଯେପରି ଅନୁମତି ଦିଆଗଲା ସେହିପରି କଟକ ଦଶହରା ପାଇଁ ବି ଅନୁମତି ମିଳୁ ।