କରୋନା ମହାମାରୀ ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ଦେଖି ସମସ୍ତଙ୍କ ହୃଦୟ ଘଡ଼ିଏ ପାଇଁ ଶୋକରେ ବୁଡ଼ିଯିବା ଥୟ । ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ଜୌନପୁରରୁ ଆସିଛି ଯେଉଁଠାରେ ଜଣେ ବୃଦ୍ଧ ତାଙ୍କ ପତ୍ନୀଙ୍କ ଶବଦାହ କରିବାକୁ ସାଇକେଲର ସାହାରା ନେଇଛନ୍ତି । କୁହାଯାଉଛି ଯେ ବୃଦ୍ଧଙ୍କ ପତ୍ନୀ କୋଭିଡ଼ ସଂକ୍ରମିତ ଥିଲେ ଏବଂ ତାଙ୍କର ଦେହାନ୍ତ ହୋଇଥିଲା ଯେଉଁ କାରଣରୁ ତାଙ୍କ ଶବଦାହ ଗାଁ ଭିତରେ କରିବାକୁ ଦେଇନଥିଲେ ସ୍ଥାନୀୟ ଗ୍ରାମବାସୀ ।
ପତ୍ନୀଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ଥାନ ଖୋଜିବାରେ ବୃଦ୍ଧ ଜଣକ ମୃତଦେହକୁ ନିଜ ସାଇକେଲରେ ପକେଇ ଘଣ୍ଟା ଘଣ୍ଟା ବୁଲିଥିଲେ । ଫଟୋରେ ବୃଦ୍ଧ ଜଣକ ରାସ୍ତାର ଗୋଟିଏ ପାର୍ଶ୍ୱରେ ବସିଥିବା ନଜର ଆସୁଥିଲାବେଳେ ମହିଳାଙ୍କ ମୃତଦେହ ସାଇକେଲରେ ନଦା ହେଇ ରାସ୍ତା ଉପରେ ପଡ଼ିଥିବାର ନଜର ଆସୁଛି । ତେବେ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜୌନପୁର ପୋଲିସ ମଙ୍ଗଳବାର ଦିନ ରାମଘାଟରେ ମହିଳାଙ୍କ ଶେଷ ରୀତିନୀତି ସମ୍ପନ୍ନ କରାଇଥିଲା ।

ପୋଲିସର ମୁଖପାତ୍ର କହିଛନ୍ତି ଯେ ସୋମବାର ଦିନ ମହିଳାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଉମାନଥ ସିଂ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା ଏବଂ ଡାକ୍ତରଖାନା ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଫେରେଇ ଦେଇଥିଲା । ବୃଦ୍ଧ ଜଣଙ୍କ ମୃତ ପତ୍ନୀର ଅନ୍ତିମ ରୀତିନୀତି କରିବାକୁ ସ୍ଥାନୀୟ ଲୋକେ କେହି ସହଯୋଗ କଲେ ନାହିଁ । ଏମିତିକି ଗାଁ ଭିତରେ ସେ ତାଙ୍କ ପତ୍ନୀଙ୍କ ଶବଦାହ କରି ପାରିବେନି ବୋଲି ଚେତାବନୀ ବି ଦେଇଥିଲେ । ତେବେ ମୃତ ମହିଳା ଜଣକ କୋଭିଡ଼ ପଜିଟିଭ୍ ଥିଲେ କି ନା ତାହା ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ ।