ସଂସ୍କାର : ରାଜସ୍ଥାନର ବର୍ମରରେ ଜଣେ ବ୍ୟକ୍ତି ତାଙ୍କର ଚାରି ଜଣ ଝିଅଙ୍କୁ ହତ୍ୟା କରିଛନ୍ତି। ନିଜର ଶାଳୀ ସହିତ ଦ୍ୱିତୀୟ ବିବାହ କରିବାକୁ ଚିନ୍ତା କରି ଏହି କାଣ୍ଡ ଭିଆଇଛନ୍ତି। ଏହି ବ୍ୟକ୍ତି ଜଣକ ବିଷ ଦେଇ ତାର ପିଲାମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ଏହି ବିଷୟରେ ତଦନ୍ତ ଚଲାଇଛି। ଅନ୍ୟପକ୍ଷରେ ଝିଅମାନଙ୍କର ମାମୁଁ ପୋଲିସକୁ କହିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତିଙ୍କ ପତ୍ନୀ ୩ ମାସ ପୂର୍ବେ କରୋନା କାରଣରୁ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ପୁରଖାମ ତାଙ୍କ ଦ୍ୱିତୀୟ ଭଉଣୀକୁ ବିବାହ କରିବାକୁ ଜିଦ୍ ଧରିଥିଲେ, ତେବେ ପରିବାର ଲୋକେ ବିବାହ କରିବାକୁ ମନା କରିଦେଇଥିଲେ, ସେଥିପାଇଁ ସେ ରାଗି ଯାଇ ତାଙ୍କ ମୃତ ସ୍ତ୍ରୀର ଚାରି ଜଣ ଝିଅଙ୍କୁ ପାଣିରେ ବିଷ ଦେଇ ହତ୍ୟା କରିଥିଲେ। ଅନ୍ୟପଟେ ଅଭିଯୁକ୍ତ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଥିରେ ସେ ସଫଳ ହୋଇପାରିନାହାନ୍ତି।
ଅଭିଯୁକ୍ତ ଜଣକ ବାରମର ଜିଲ୍ଲାର ଶିବ ପୋଲିସ ଷ୍ଟେସନ ଅଞ୍ଚଳର ପୋଶଲ ନାଭପୁରା ଗାଁର ବାସିନ୍ଦା। ସୂଚନା ଅନୁଯାୟୀ, ୧୦ ବର୍ଷ ପୂର୍ବେ ସେ ପପୁ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଆଉ ବିବାହର କିଛି ଦିନ ପରେ ସେମାନଙ୍କର ପ୍ରଥମେ ଗୋଟିଏ ଝିଅ ହେଲା। ଯାହାର ବୟସ ବର୍ତ୍ତମାନ ୭ ବର୍ଷ। ଏହିକ୍ରମରେ ଅନ୍ୟ ତିନି ଜଣ ଝିଅ ମଧ୍ୟ ଜନ୍ମ ହେଲେ। ଯାହାଙ୍କର ବୟସ ଯଥାକ୍ରମେ ୫,୩ ଏବଂ ୨ ବର୍ଷ। ଅନ୍ୟପଟେ ଜୁନ୍ ମାସରେ କରୋନା ଭାଇରସର ସଂକ୍ରମଣ ଯୋଗୁଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା।
ଯାହା ପରେ ସେ ପୁଣି ବିବାହ କରିବାକୁ ଚାହୁଁଥିଲେ | ସେ ତାଙ୍କ ସ୍ତ୍ରୀର ଭଉଣୀକୁ ବିବାହ କରିବାକୁ ଜିଦ୍ ଧରିଥିଲେ। କିନ୍ତୁ ବ୍ୟକ୍ତିଙ୍କର ଶାଶୁ ଏଥିପାଇଁ ପ୍ରସ୍ତୁତ ନଥିଲେ। ତେଣୁ ସେ ନିଜେ ଆତ୍ମହତ୍ୟା କରି ପିଲାଙ୍କୁ ମାରିବା ପାଇଁ ଚିନ୍ତା କରିଥିଲେ। କିନ୍ତୁ ପିଲା ମାନେ ସିନା ମୃତ୍ୟୁବରଣ କଲେ, ମାତ୍ର ସେ ବଂଚିଗଲେ। ବର୍ତ୍ତମାନ ପୋଲିସ୍ ଘଟଣାର ଅଧିକ ତଦନ୍ତ କରି ଅଭିଯୁକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡିଛି।