ବହୁ ପରିଚିତ ସମାଜକର୍ମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ସପ୍ତାହେ ପୂରିସାରିଲାଣି ସିନା ଏଯାଏଁ ସ୍ପଷ୍ଟ ହେଲାନି ଯେ ତାହା ଆତ୍ମହତ୍ୟା ଥିଲା ନା ପ୍ରରୋଚିତ ହତ୍ୟା । ତେବେ ଘଟଣାର ତଦନ୍ତ ଚାଲିଛି । ଜିଆର୍ପି ପୋଲିସ ଆଦିତ୍ୟଙ୍କ ବନ୍ଧୁ ତଥା “ପିପୁଲ ଫର ସେବା” ଅନୁଷ୍ଠାନର ସହଯୋଗୀ ବିକାଶ ଓ ପପୁଙ୍କ ପରେ ଏବେ ତାଙ୍କ ପତ୍ନୀ ଶ୍ରୀଙ୍କ ପାଳି । ଆସନ୍ତାକାଲି ଶୁକ୍ରବାର ଦିନ ବିଦ୍ୟାଶ୍ରୀଙ୍କୁ ଜିଆର୍ପି ଜେରା କରିବ ବୋଲି ସୂଚନା ମିଳିଛି ।

ୟା ଭିତରେ ଜିଆର୍ପି ପୋଲିସ ଆଦିତ୍ୟଙ୍କ ମୃତ୍ୟୁ ଦିନର ଏକ ସିସିଟିଭ୍ ଫୁଟେଜ୍ ଜବତ କରିଛି । ସିସିଟିଭ୍ ଫୁଟେଜ୍ ଅନୁସାରେ ଆଦିତ୍ୟ ଏକା ଏକା ଯାଉଥିବାର ସୂଚନା ରହିଛି । ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରେ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିଥିଲା ଓ କେହି କେହି ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଥିବା କହୁଥିବାବେଳେ କିଏ ହତ୍ୟା କରି ଟ୍ରେନ୍ ଲାଇନ୍ରେ ଫିଙ୍ଗି ଦେଇଥିବା କଥା କହୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଜିଆର୍ପି ପୋଲିସ ପକ୍ଷରୁ କିଛି କୁହାଯାଇ ନାହିଁ ।