ସିରିଜ କ୍ଲିନସୁଇପ ଲଜ୍ୟାରୁ ଅଳ୍ପକେ ବର୍ତ୍ତିଛି ଇଣ୍ଡିଆ ଟିମ୍ । ଅଷ୍ଟ୍ରେଲିଆ ଠାରୁ ଲଗାତର ୨ଟି ମ୍ୟାଚ୍ ହାରି ସିରିଜ୍ ହାତ ଛଡ଼ା କରିଥିବା ବିରାଟ ବାହିନୀ ଆଜି ଶେଷରେ ବିଜୟ ହାସଲ କରିଛି । ସିରିଜ୍ର ଶେଷ ତଥା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୧୩ ରନ୍ରେ ପରାସ୍ତ କରିଛି ଭାରତ । ତେବେ ଶେଷ ମ୍ୟାଚ୍ ଜିତିଥିଲେ ହେଁ ୨-୧ ବ୍ୟବଧାନରେ ସିରିଜ କବଜା କରିଛି ଅଷ୍ଟ୍ରେଲିଆ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିରାଟ ବାହିନୀକୁ ପ୍ରଥମରୁ ଝଟକା ଲାଗିଥିଲେ ବି ନବାଗତ ଶୁଭମାନ ଗିଲ ଓ କୋହଲି ଇନିଂସ ସମ୍ଭାଳି ନେଇଥିଲେ । କୋହଲିଙ୍କ ଅର୍ଦ୍ଧଶତକ ସହିତ ଇଣ୍ଡିଆ ଟିମ୍ ଶହେ ରନ୍ ପାର କରିଥିଲା । ଯଦିଓ କୋହଲିଙ୍କ ୱିକେଟ ସହିତ ଟିମ୍ ଇଣ୍ଡିଆ ଆଡ଼କୁ ପୁଣିଥରେ ସଙ୍କଟ ମାଡ଼ି ଆସିଥିଲା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜାଡେଜାଙ୍କ ଧୂଆଁଧାର ଇନିଂସ ଶେଷରେ ଇଣ୍ଡିଆର ସମ୍ମାନ ବଞ୍ଚାଇ ଦେଲା । ଅଷ୍ଟ୍ରେଲିଆ ସାମ୍ନାରେ ୩୦୩ ରନର ଏକ ବଡ଼ ଟାର୍ଗେଟ ଛିଡା କରାଇପାରିଲା ।

ରିପୋର୍ଟ ଅନୁସାରେ ୭୬ ବଲରେ ୯୨ ରନ୍ର ଇନିଂସ୍ ଖେଳିଥିବା ହାର୍ଦ୍ଦିକ ପାଣ୍ତ୍ୟା ମ୍ୟାନ ଅଫ୍ ଦ ମ୍ୟାଚ୍ ହେଲାବେଳେ ସେ ୭ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ ।
୩୦୩ ରନ୍ର ଟାର୍ଗେଟ ପୂରଣ ଆଶା ନେଇ ମୈଦାନକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍ ଆରମ୍ଭରୁ କାମଚଳା ଓପନର ମାର୍ନସ ଲାବୁସେନଙ୍କୁ ହରାଇଥିଲା । ତାଙ୍କ ୱିକେଟ ଇଣ୍ଡିଆ ଟିମର ଟି. ନଟରାଜନ ନେଇଥିଲେ । ଲଗାତର ଶତକ ହାସଲ କରିଥିବା ଷ୍ଟିଭ ସ୍ମିଥ ମଧ୍ୟ ବେଶୀ ସମୟ କ୍ରିଜ୍ରେ ତିଷ୍ଟି ପାରି ନଥିଲେ । ତେବେ ଅଧିନାୟକ ଆରୋନ ଫିଞ୍ଚ ଓ ମୋଜିସ ହେନରିକସ କିଛି ସମୟ ପାଇଁ ସ୍ଥିତି ସମ୍ଭାଳି ନେଇଥିଲେ । ମାତ୍ର ୨୨ ରନ୍ କରିଥିବା ହେନରିକସଙ୍କୁ ଶାର୍ଦ୍ଦୁଲ ଠାକୁର ଆଉଟ୍ କରି ଯୋଡ଼ିକୁ ଭାଙ୍ଗି ଦେଇଥିଲେ ।
ଟିମ୍ ଇଣ୍ଡିଆ ତରଫରୁ ଠାକୁର ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ବୁମ୍ରା ଓ ନଟରାଜନ ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ସେହିପରି କୁଲଦୀପ ଯାଦବ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ ଦଖଲ କରିଛନ୍ତି ।
କୋହଲିଙ୍କ ପାଇଁ ଖରାପ ବର୍ଷ:
ଏହି ବର୍ଷ ମାନେ 2020 ରେ କୋହଲି ଗୋଟିଏ ମଧ୍ୟ ଶତକ ମାରିବାରେ ବିଫଳ ହୋଇଛନ୍ତି। 2008 ରୁ 2019 ଯାଏଁ ODI କ୍ରିକେଟ୍ ରେ ସେ ଶତକ ମାରି ଆସିଥିଲେ କିନ୍ତୁ ଏହା ପ୍ରଥମ ଥର ଯେବେ 2020 ରେ ବିରାଟ ଏକ ବର୍ଷରେ ଶତକ ହାସଲ କରିପାରିନଥିଲେ।