ନୂଆଦିଲ୍ଲୀ : ଦେଶରେ ଲକଡାଉନ ଅବଧି ବଢି ମଇ ୧୭ ଯାଏଁ ଘୁଞ୍ଚିଲା । ଏହି ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ ଏବଂ ଛାତ୍ରଛାତ୍ରୀମାନେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି କିନ୍ତୁ କେମିତି ତାହା ଏକ ବଡ଼ ପ୍ରଶ୍ନ । କିପରି ଜାଣିବା କେଉଁ ଟ୍ରେନ ଯିବ, ଟ୍ରେନରେ ସିଟ୍ କିପରି ବୁକ୍ ହେବ, ଘରୁ ରେଳଷ୍ଟେସନରେ କେମିତି ପହଞ୍ଚିବେ ଇତ୍ୟାଦି ପ୍ରଶ୍ନ ଲୋକମାନଙ୍କ ମନରେ ରହିଛି । ଆସନ୍ତୁ ଜାଣିବା ସଠିକ୍ ଉପାୟ ଯଦ୍ୱାରା ଆପଣ ବି ନିରାପଦରେ ନିଜ ରାଜ୍ୟକୁ ଫେରିପାରିବେ ।
ଭୁଲରେ ବି ରେଳଷ୍ଟେସନ କିମ୍ବା ବସ ଷ୍ଟାଣ୍ଡ ଯାଆନ୍ତୁ ନାହିଁ
ଯଦି ଆପଣଙ୍କ ଲାଗୁଛି ଯେ କୌଣସି ପ୍ରକାରେ ରେଳଷ୍ଟେସନ କିମ୍ବା ବସ ଷ୍ଟାଣ୍ଡରେ ପହଞ୍ଚିଗଲେ ଘରକୁ ଫେରିବା କାମ ହେଇଯିବ ତେବେ ଆପଣ ସଂପୂର୍ଣ୍ଣ ଭୁଲ ଭାବୁଛନ୍ତି । ବାସ୍ତବରେ କୌଣସି ରେଳଷ୍ଟେସନ କିମ୍ବା ବସ ଷ୍ଟାଣ୍ଡରେ ଥିବା ଟିକେଟଘର ଖୋଲା ନାହିଁ । ଏହାଛଡ଼ା ବିନା ଅନୁମତିରେ ଏହି ସ୍ଥାନଗୁଡିକୁ ପ୍ରବେଶ ମନା । ତେଣୁ ଯଦିଓ ଯେକୌଣସି ଜୁଗାଡ୍ ଲଗେଇ ଆପଣ ରେଳଷ୍ଟେସନ କିମ୍ବା ବସ ଷ୍ଟାଣ୍ଡରେ ପହଞ୍ଚଲେ ବି ଲାଭ କିଛି ନାହିଁ ।
ସ୍ଥାନୀୟ ଡି.ଏମ୍. ଅଫିସ୍ କିମ୍ବା ପରିବହନ ବିଭାଗ ସହିତ ଯୋଗାଯୋଗ କରନ୍ତୁ
ସୂଚନା ଅନୁଯାୟୀ ଯଦି ଆପଣ ଅନ୍ୟ କେଉଁ ସହରରେ ଅଟକି ରହିଛନ୍ତି ଓ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ପଡିବ, ତା ବି ଫୋନ ଦ୍ଵାରା । ଏହାବ୍ୟତୀତ ଆପଣ ସ୍ଥାନୀୟ ପରିବହନ ବିଭାଗକୁ ଫୋନ ସୂଚନା ମଧ୍ୟ ପାଇପାରିବେ । କେବଳ ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ ଏବଂ ପରିବହନ ବିଭାଗ ଆପଣଙ୍କ ରାଜ୍ୟକୁ ଯାଉଥିବା ଟ୍ରେନ୍ କିମ୍ବା ବସ୍ ବିଷୟରେ ସୂଚନା ଦେଇପାରିବେ । ସ୍ୱତନ୍ତ୍ର ଟ୍ରେନ କିମ୍ବା ବସ ଏବଂ ପ୍ରସ୍ଥାନ ସ୍ଥାନର ସଠିକ୍ ସୂଚନା ନିଶ୍ଚିତ କରିବା ପରେ ହିଁ ଘରୁ ବାହାରକୁ ବାହାରନ୍ତୁ ।
କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସ୍ଥାନୀୟ ବାସିନ୍ଦାଙ୍କୁ ଫେରାଇ ଆଣିବାକୁ ଅନୁମତି ଦେଇଛନ୍ତି । ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟ ସରକାର ପରସ୍ପର ସହିତ ଆଲୋଚନା କରି ସ୍ୱତନ୍ତ୍ର ବସ କିମ୍ବା ଟ୍ରେନର ବ୍ୟବସ୍ଥା କରୁଛନ୍ତି ।