ତିନି ଥରର ଲକ୍ଡାଉନ୍ ପରେ ଏହା ଖୋଲିବ ତ ନିଶ୍ଚୟ କିନ୍ତୁ ତାକୁ ନେଇ ସ୍ୱାସ୍ଥ୍ୟ କଟକଣା ହେବ ନାହିଁ ବନ୍ଦ । ଲକ୍ଡାଉନ୍ ଖୋଲିବା ପରେ ବି ଯଦି ଆମେ ପୂର୍ବଭଳି ସଚେତନ ନରହୁ ତେବେ ପୁଣି କରୋନା ସଂକ୍ରମିତ ହେବାର ଆଶଙ୍କା ବଢିଯିବ ବୋଲି କହିଛନ୍ତି ଡାକ୍ତର ନିରୋଜ କୁମାର ମିଶ୍ର ।
କରୋନାଭାଇରସ ବିରୋଧ ଲଢେଇ ପାଇଁ ହୋଇଥିବା ଲକ୍ଡାଉନ୍ ଯୋଗୁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଦିନମଜୁରିଆ ସମସ୍ତେ ଗୃହବନ୍ଦୀ । ଲକ୍ଡାଉନ୍ ଖୋଲିବା ମାତ୍ରେ ସମସ୍ତେ ନିଜ ନିଜ କାମରେ ବାହାରି ପଡ଼ିବେ । କିନ୍ତୁ, ସମସ୍ତଙ୍କୁ କେତେଟା ସତର୍କତା ଆପଣେଇବାକୁ ପଡ଼ିବ । କାରଣ ଲକ୍ଡାଉନ୍ ଖୋଲିଗଲା ମାନେ ନୁହେଁ କରୋନା ପଳେଇ ଗଲା । ମାନିବାକୁ ପଡ଼ିବ ଏହିସବୁ ନିୟମ :
- ଯେଉଁଭଳି ସାମାଜିତ ଦୂରତା ରକ୍ଷା କରାଯାଉଥିଲା ଲକ୍ଡାଉନ୍ ବେଳେ, ଲକ୍ଡାଉନ୍ ସରିବା ପରେବି ତାକୁ ବଜାୟ ରଖିବାକୁ ହେବ ।
- ଘରେ କିମ୍ବା ଅଫିସରେ ଲୋକଙ୍କ ସହ ମିଳାମିଶା କଲାବେଳେ ହାତ ମିଳାଇବେ ନାହିଁ । କାହାର କାଶ ବା ଛିଙ୍କ ହେଉଥିଲେ ତାଙ୍କଠାରୁ ଅନ୍ତତଃ ୧ ମିଟର ଦୂରତା ରକ୍ଷା କରନ୍ତୁ ।
- ନିୟମିତ ବ୍ୟବଧାନରେ ସାବୁନରେ ବା ସାନିଟାଇଜରରେ ହାତ ଧୁଅନ୍ତୁ । ହାତକୁ ଆଖି, ପାଟି, ନାକରେ ଲଗାନ୍ତୁ ନାହିଁ ।
- ବାରମ୍ବାର ବ୍ୟବହାର ହେଉଥିବା ଜିନିଷ ଯେପରିକି ମୋବାଇଲ ଫୋନ, ଲାପଟପ୍, କମ୍ପ୍ୟୁଟର କିବୋର୍ଡ ଆଦିକୁ ପରିସ୍କାର ରଖନ୍ତୁ ।
- ଭିଡ଼ ସ୍ଥାନକୁ ଗଲେ ୧ ମିଟର ଦୂରତା ରକ୍ଷା କରିବାକୁ ହେବ । ଗ୍ରୋସରି, ପରିବା କିମ୍ବା କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିଲାବେଳେ ଗୋଟେ ସ୍ଥାନରେ ଗହଳି ନକରି ଜଣେ ପରେ ଜଣେ ଯାଇ ଜିନିଷ କିଣିବାକୁ ହେବ ।
- ଯଦିବି ଫିଲ୍ମ ହଲ୍ ଖୋଲେ ତେବେ ଗୋଟେ ଚେୟାର ଛାଡ଼ି ଆଉ ଗୋଟେ ଚେୟାରରେ ବସି ଫିଲ୍ମ ଦେଖିବାକୁ ହେବ । ୬ରୁ ୮ ମାସ ଯାଏଁ ବାହାଘର, ସଭାସମିତି, ଜନ୍ମଦିନ ଭଳି ଉତ୍ସବରୁ ଦୂରେଇ ରହନ୍ତୁ । ଗୋଟେ ସ୍ଥାନରେ ୫ଜଣରୁ ଅଧିକ ଲୋକ ଗହଳି କରନ୍ତୁ ନାହିଁ ।
- ଯଦି ଜଣକୁ ଥଣ୍ଡା, କାଶ, ଛିଙ୍କ ହେଉଛି ତାହେଲେ ଉକ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ନିତାନ୍ତ ଜରୁରୀ । ଏମିତିକି ମାସେ ଦୁଇ ମାସ ପର୍ଯ୍ୟନ୍ତ ସମସ୍ତେ ମାସ୍କ ପିନ୍ଧିବା ଭଲ ।
- ପିଲାମାନେ ସ୍କୁଲ ଯିବା ଆରମ୍ଭ କଲେ ତାଙ୍କ ଭିତରେ ୩ ଫୁଟ୍ର ଦୂରତା ଅର୍ଥାତ ସ୍କୁଲ ବେଞ୍ଚଗୁଡ଼ିକ ମଧ୍ୟରେ ଗ୍ୟାପ୍ ରହିବା ଜରୁରୀ ।
- ପୂର୍ବଭଳି ୨୦ ସେକେଣ୍ଡ ପାଇଁ ହାତ ଧୋଇବାକୁ ପରାମର୍ଶ ।
- ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ଵନର ବିଶେଷ ଆବଶ୍ୟକତା ରହିଛି ଯଥା ପରିଷ୍କାର ଓ ସ୍ଵଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ । ଯେମିତିକି ବ୍ୟବହାର କରୁଥିବା ଟେବୁଲ, କମ୍ପ୍ୟୁଟର, କିବୋର୍ଡ, ମାଉସ୍, ଫୋନ ଓ ଅନ୍ୟାନ୍ୟ ଉପକରଣକୁ ସାନିଟାଇଜର ଦ୍ଵାରା ନିୟମିତ ପୋଛନ୍ତୁ ।
- କାଶ, ଛିଙ୍କ ହେଲେ ସଂକ୍ରମଣରୁ ରକ୍ଷା ପାଇଁ ଟିସୁ ପେପର ବ୍ୟବହାର କରନ୍ତୁ ଓ ତାକୁ ତୁରନ୍ତ ଢାଙ୍କୁଣି ଥିବା ଡଷ୍ଟବିନ୍ରେ ପକାନ୍ତୁ ।
- ଆଗାମୀ ବର୍ଷେ ପାଇଁ ବାୟୋମେଟ୍ରିକ ଉପସ୍ଥାନ ମେସିନ ବ୍ୟବହାର କରନ୍ତୁ ନାହିଁ ।
- ଗୋଟେ ଲିପ୍ଟରେ ଯଥାସଧ୍ୟ କମ୍ ଲୋକ ଯାଆନ୍ତୁ ।
- ଅଫିସ୍ କ୍ୟାଣ୍ଟିନ୍ରେ ପୂର୍ବଭଳି ଯେମିତି ମିଳିମିଶି ଖାଉଥିଲେ, ସେମିତି ଖାଆନ୍ତୁ ନାହିଁ ।

ଡାକ୍ତର ମିଶ୍ରଙ୍କ କହିବାନୁଯାୟୀ ଲକ୍ଡାଉନ୍ ଯୋଗୁଁ ପାର୍କ, ଜିମ୍ ସବୁ ବନ୍ଦ । ହେଲେ ଲୋକମାନେ ଘରେ ରହି ଯୋଗ, ପ୍ରାଣାୟମ୍, ଏରୋବିକ୍ସ, ଯୁମ୍ବା ଭଳି ବ୍ୟାୟାମ କରିବାପାରିବେ । ପ୍ରତିଦିନ ୩୦ ମିନିଟ ଏକ୍ସରସାଇଜ୍ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କାରଣ କୋଭିଡ୍-୧୯ ଭୂତାଣୁ ନହେବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ତା’ଛଡ଼ା ଖାଦ୍ୟରେ ସବୁଜ ପନିପରିବା, ଫଳ, ଅଖରୋଟ, ରାଜମା, ମାଛ, ଚିକେନ ଆଦିକୁ ସାମିଲ କଲେ ଭଲ ।