ହସ୍ପିଟାଲ ପିଣ୍ଢାରେ ବସି ବସି ଦିନ କଟୁଛି । ଯିଏ ଯାହା ଗଣ୍ଡେ ଦେଲା ଖାଉଛି । ପୋଲିସ ଷ୍ଟେସନ ବି ଯାଇଥିଲି, ୫ ଦିନ ବସି କହିଲି ରିପୋର୍ଟ ଲେଖିବାକୁ, ହେଲେ ମୋ ଅଭିଯୋଗ କେହି ଶୁଣିଲେନି । ଏମିତି ଲୁହ ଭରା କଣ୍ଠରେ କହୁଛନ୍ତି ମହିଳା ଜଣକ ଗଣମାଧ୍ୟମକୁ । ଏବେ ସେ ଅନ୍ତସତ୍ତ୍ଵା ଓ ତାଙ୍କ ସ୍ୱାମୀ ତାଙ୍କୁ ଏକୁଟିଆ ଛାଡ଼ି କେଉଁ ଆଡ଼େ ଫେରାର ହୋଇଯାଇଛନ୍ତି । ମହିଳାଙ୍କ ଘର ପାରାଦ୍ଵୀପ ହୋଇଥିଲାବେଳେ ତାଙ୍କ ସ୍ୱାମୀ ଭଦ୍ରକ ଜିଲ୍ଲା ବାସୁଦେବପୁରର ବାସିନ୍ଦା ।
ଘଟଣାଟି ଏହିପରି । ମହିଳା ଜଣକଙ୍କ କହିବାନୁସାରେ ରୌଂଗ୍ ନମ୍ବରରୁ ସେମାନଙ୍କ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ପାରାଦ୍ଵୀପରେ ମହିଳାଙ୍କୁ ଭେଟି ତାଙ୍କୁ ଭଲପାଉଛି କହି ସେ ମହିଳାଙ୍କୁ ବାହା ମଧ୍ୟ ହୋଇଥିଲା । ବାହାଘର ପରେ ଦୁହେଁ ଚାଲିଗଲେ ଆନ୍ଧ୍ରପ୍ରଦେଶ କାମ କରିବାକୁ, କାମ କରି ସଂସାର ଚଳେଇବାକୁ । ଆନ୍ଧ୍ରପ୍ରଦେଶ ପାଖାପାଖି ବର୍ଷେ ଯାଏଁ ରହିଲେ ହେଲେ କରୋନା ପାଇଁ ହୋଇଥିବା ଲକଡାଉନ ଯୋଗୁ କାମ ବନ୍ଦ ହେଲା । ଏପଟେ ମହିଳା ଜଣଙ୍କ ବି ଗର୍ଭବତୀ ଥିଲେ । ତେଣୁ ଦୁହେଁ ଫେରିଲେ ଓଡ଼ିଶା । ଦୁଇ ମାସ ହେଲା ଭିଟାମାଟିକୁ ଫେରିଥିଲେ ସୁଦ୍ଧା କୌଣସି କାମ ନମିଳିବାରୁ ନାହିଁ ନଥିବା ଅସୁବିଧା ଭୋଗିଲେ ।
ବାଧ୍ୟ ହୋଇ ମହିଳା ଜଣକ ସ୍ୱାମୀଙ୍କ ସହିତ ମିଶି ତାଙ୍କ ବାପାଙ୍କ ପାଖକୁ ଗଲେ ଓ ଏକ ସୁନା ରିଂ ଆଣିଲେ ଯାହାକୁ ବିକି ସେଇ ପଇସାରେ ଘର ଭଡ଼ାଟିଏ ନେଲେ । ଭଡ଼ା ନେବାର ଦୁଇ ଦିନ ପରେ ଡେଲିଭରି ପାଇଁ ପୁଣି ପଇସା ଦରକାର ହେବ ଓ ସେଇ ପଇସା ଯୋଗାଡ଼ କରିବାକୁ ସ୍ୱାମୀ ବାହାରିଗଲେ ତାଙ୍କ ନିଜ ଘରକୁ । ଦୁଇ ଦିନ ଭିତରେ ନଫେରିଲେ ମୋ ଘରକୁ ଆସିବ ବୋଲି ବି କହିଥିଲେ । ମାତ୍ର ୧୫ ଦିନ ବିତିଗଲାଣି ହେଲେ ମୋ ସ୍ୱାମୀଙ୍କର ପତା ନାହିଁ ବୋଲି କାନ୍ଦି କାନ୍ଦି କହୁଛନ୍ତି ମହିଳା ଜଣଙ୍କ ।
କାହାଣୀ ଏଇଠି ସରିନି । ସେ ସ୍ୱାମୀ ଦେଇଥିବା ଠିକଣା ଧରି ସ୍ଵାମୀଙ୍କୁ ଖୋଜି ଖୋଜି ଯାଇ ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ବେତଡ଼ା ଗାଁରେ ପହଞ୍ଚିଲା । ହେଲେ ସେଠି ନଣନ୍ଦ ମାରିଲା । ନଣନ୍ଦେଇ ଶାବଳ ଆଣି ମୋ ଗର୍ଭ ନଷ୍ଟ କରିଦେବାକୁ ଧମକ ଦେଲା । DNA ପରୀକ୍ଷା କରି ଦେଖ ଏ ପିଲା ତମ ପୁଅର କହିଲେ ସୁଦ୍ଧା ସେ ମୋତେ ଗ୍ରହଣ କରିବାକୁ ମନା କରିଦେଲେ ଓ ସେଠି ରହିବାକୁ ଦେଲେନି । ମାରି ବାହାର କରିଦେଲେ ବୋଲି କାନ୍ଦି କାନ୍ଦି ମହିଳା ଜଣକ କହୁଥାନ୍ତି ।
ମୋ ଗୁହାରି ସେ ଗାଁର ସରପଞ୍ଚ ବି ଶୁଣିଲେନି । ୧୦୦ ଟଙ୍କା ଦେଇ ବିଦା କରିଦେଲେ, କହିଲେ ଘରକୁ ପଳାଅ । ଅନ୍ୟ ଉପାୟ ନପାଇଁ ନ୍ୟାୟ ପାଇଁ ବାସୁଦେବପୁର ଥାନାର କବାଟ ବି ବାଡ଼େଇଲି । କିନ୍ତୁ ମୋ ଗୁହାରି କେହି ଶୁଣି ନାହାନ୍ତି ବୋଲି ସଫା ସଫା ବୟାନ ଦେଉଛନ୍ତି ଗଣମାଧ୍ୟମ ସାମ୍ନାରେ ମହିଳା ଜଣକ ।