ଗ୍ରୀଷ୍ମ ଋତୁରେ ମିଳୁଥିବା ଏକ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଫଳ ହେଉଛି ତରଭୁଜ । ତରଭୁଜରେ ଭିଟାମିନ୍, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ପ୍ରଚୁର ଫାଇବର ଥାଏ । ଏହାଛଡ଼ା ତରଭୁଜ ହେଉଛି ଏକ ଫଳ ଯେଉଁଥିରେ ୯୨ ପ୍ରତିଶତ ପାଣି ଓ ୬ ପ୍ରତିଶତ ଶର୍କରା ଥାଏ । ତେଣୁ ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବା ଅତ୍ୟନ୍ତ ଲାଭଦାୟକ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଖାଉଥିବା ତରଭୁଜ ମଧ୍ୟ କ୍ଷତି ପହଞ୍ଚାଇପାରେ ଆପଣଙ୍କ ସ୍ୱାସ୍ଥ୍ୟକୁ । କାରଣ ବଜାରରେ ତରଭୁଜର ଚାହିଦା ବଢିବା ଦେଖି ସେଗୁଡିକୁ ଇଞ୍ଜେକ୍ସନ ଦିଆଯାଉଛି । ଯାହାଫଳରେ ତରଭୁଜ ଲାଲ ଦେଖାଯିବା ସହିତ ପାଚିଲା ଭଳି ଦିଶେ ଓ ଏହା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ କ୍ଷତିକାରକ ।

ତରଭୁଜର ରଙ୍ଗକୁ ଆହୁରି ଲାଲ କରିବାକୁ ଓ ତା ସ୍ଵାଦ ବଢାଇବାକୁ ନାଇଟ୍ରେଟ୍, କୃତ୍ରିମ ରଙ୍ଗ (ସୀସା କ୍ରୋମାଟ୍, ମିଥାନୋଲ୍ ହଳଦିଆ, ସୁଦାନ ଲାଲ୍), କାର୍ବାଇଡ୍, ଅକ୍ସିଟୋସିନ୍ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ । ଏହି ରାସାୟନିକ ପଦାର୍ଥଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏ ରାସାୟନିକ ପଦାର୍ଥଗୁଡ଼ିକ ଶରୀରରେ ବୃକ୍କ ଏବଂ ଯକୃତ ଫେଲ୍ କରିଦିଏ । ଏହାବ୍ୟତୀତ ସୀସା କ୍ରୋମେଟର ସେବନ ଦ୍ଵାରା ଶରୀରରେ ରକ୍ତହୀନତା ହୋଇପାରେ, ମସ୍ତିଷ୍କର କୋଷଗୁଡ଼ିକର କ୍ଷତି ହୋଇପାରେ, ଏମିତିକି ମଣିଷକୁ ଅନ୍ଧ ବି କରିଦେଇପାରେ । ତେଣୁ ତରଭୁଜ କିଣିଲାବେଳେ ନିଶ୍ଚିତ ହୁଅନ୍ତୁ ଯେ ଏହା ଏକ ଇଞ୍ଜେକ୍ସନଯୁକ୍ତ ତରଭୁଜ କି ନୁହେଁ ।

ସାଧାରଣତଃ ତରଭୁଜ ଉପରୁ ସବୁଜ ରହିଥାଏ । ଯଦି ତରଭୁଜ କାଟିଲାବେଳେ ତାର ଚୋପା ମୋଟା ଥାଏ ଓ ଭିତର ଚୋପାପାଖ ହାଲୁକା ଧଳା କିମ୍ବା ସବୁଜ ଥାଏ ତେବେ ଜାଣନ୍ତୁ ତରଭୁଜ ପ୍ରକୃତିକ ଉପାୟରେ ପାଚିଛି । ଆଉ ଯଦି ଚୋପା ଲାଲ ରଙ୍ଗର ଅଂଶ ସହିତ ଥାଏ ତେବେ ଏହା ତରଭୁଜ ନିହାତି ରାସାୟନିକ ପଦ୍ଧତିରେ ପଚା ଯାଇଛି । ଇଞ୍ଜେକ୍ସନ ଦିଆଯାଇଥିବା ତରଭୁଜକୁ ଚିହ୍ନିବା ପାଇଁ ପ୍ରଥମେ ଏକ ପାତ୍ରରେ ପାଣି ନିଅ । ତରଭୁଜକୁ ଦୁଇ ଖଣ୍ଡରେ କାଟି ଖଣ୍ଡେ ତରଭୁଜକୁ ପାଣି ପାତ୍ରରେ ବୁଡ଼ାଇ ରଖ । ଯଦି ପାଣିର ରଙ୍ଗ ହାଲୁକା ନାଲି ରଙ୍ଗର ହୋଇଯାଉଛି ତେବେ ଜାଣିବେ ତରଭୁଜ ରସାୟନ ଇଞ୍ଜେକ୍ସନ ଯୁକ୍ତ ।
ତରଭୁଜର ଗଛ ଲତା ଜାତିର ଓ ଏହାର ଓଜନ ହେତୁ ଏହା ଭୂମିରେ ଲୋଟୁଥାଏ । ଭୂମିରେ ଲାଗି ରହୁଥିବାରୁ ତରଭୁଜର ତଳ ଅଂଶର ରଙ୍ଗ ଫିକା ହୋଇଯାଇଥାଏ ଯେତେବେଳେ କି ଉପର ରଙ୍ଗ ତାର ସ୍ଵାଭାବିକ ସବୁଜ ରଙ୍ଗର ହୋଇଥାଏ । ଯଦି ତରଭୁଜକୁ ଇଞ୍ଜେକ୍ସନ ଦିଆଯାଇଥାଏ ତେବେ ତା ଚାରିପାର୍ଶ୍ୱ ସମାନ ଦେଖାଯିବ । ଏହାର ଅର୍ଥ ହେଉଛି ସେ କୃତ୍ରିମ ଉପାୟରେ ପଚାଯାଇଛି । ଯଦି ତରଭୁଜ କାଟିବା ପରେ ଆପଣ ଏହାର ମଝି ଖାଲ କିମ୍ବା ଛିଦ୍ର ଦେଖନ୍ତି, ତେବେ ବୁଝନ୍ତୁ ଯେ ତରଭୁଜ ଇଞ୍ଜେକ୍ସନ ଦ୍ୱାରା ପଚାଯାଇଛି । କାରଣ ପ୍ରାକୃତିକ ଭାବରେ ପାଚିଲା ଫଳରେ ଏପରି ଗାତ କି ଫାଟ ନଥାଏ ।