ଆହୁରି ୩ ଦିନ ବର୍ଷିବ, ୮ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣଂ ଜାରି

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ପାଣିପାଗ ବିଭାଗ ପକ୍ଷରୁ ୧୭ଟି ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୮ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣଂ ଜାରି କରାଯାଇଛି। ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଅଧିକ ବର୍ଷା ହେବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ୨-୩ ଦିନ ମଧ୍ୟରେ ଗତି କରିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି । ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି ।

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବ । ୧୩ ତାରିଖ ବେଳକୁ ବର୍ଷା ବଢ଼ିପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ । ସମୁଦ୍ରରେ ୪୫ରୁ ୬୫ କିମି ପର୍ଯ୍ୟନ୍ତ ପବନ ବୋହିପାରେ ବୋଲି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି। ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଓ କାଲି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ଆଜି ଉତ୍ତର ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସୋମବାର ଉପକୂଳଠାରୁ ଆଭ୍ୟନ୍ତରୀଣ ଅଂଚଳରେ ବେଶି ବର୍ଷା ହେବ ।

ପାଣିପାଗ ବିଭାଗ କହିଛି, ପୂର୍ବ କେନ୍ଦ୍ରୀୟ ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ରହିଛି । ଏହା ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେବ । କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ । ଏହା ପ୍ରଭାବରେ ୧୪ ଯାଏ ବର୍ଷା ହେବ । ତେବେ ଆସନ୍ତା ଦୁଇଦିନ ବର୍ଷା ପ୍ରକୋପ ବେଶି ରହିବ ।

Leave a Reply

Your email address will not be published. Required fields are marked *