କାନପୁର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଜୁଲାଇ ୧୦ ତାରିଖ ସକାଳେ ପୋଲିସ ଏନକାଉଣ୍ଟର କରି ହତ୍ୟା କରିଛି । ଜୁଲାଇ ୯ ତାରିଖରେ ଅଭିଯୁକ୍ତ ବିକାଶକୁ ମଧ୍ୟପ୍ରଦେଶ ପୋଲିସ ଉଜ୍ଜଇନ ମହାକାଳ ମନ୍ଦିର ବାହାରେ ଧରି ୟୁପି ପୋଲିସକୁ ହସ୍ତାନ୍ତର କରିଥିଲା । ୟୁପି ଏସଟିଏଫ ଦଳ ତାକୁ କାନପୁରକୁ ଆଣିବ ସମୟରେ କାନପୁର ସହରର ଭାଉଣ୍ଟି ନିକଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେଲା ବୋଲି ପୋଲିସ କହିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ ଗାଡିରେ ଉପସ୍ଥିତ ଅଭିଯୁକ୍ତ ବିକାଶ ପୋଲିସର ପିସ୍ତଲ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲା ଓ ଫାୟରିଂ କରିବାରୁ ପୋଲିସ ତା ଉପରେ ଗୁଳି ଚଳାଇଲା । ୟୁପି ଏଡିଜି ପ୍ରଶାନ୍ତ କୁମାରଙ୍କ କହିବାନୁଯାୟୀ ପୋଲିସ ଗୁଳିରେ ସେ ଆହତ ହେଲା । ତେଣୁ ତାକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠି ତାକୁ ମୃତ ଘୋଷଣା କରାଗଲା ।
କାହାଣୀରେ କିନ୍ତୁ ଟୁଇଷ୍ଟ ଆସିଲା ପୋଲିସର ଏନକାଉଣ୍ଟର ସିଦ୍ଧାନ୍ତକୁ ନେଇ । ଗୋଟିଏ ହେଉଛି କାର୍ ଟର୍ନିଂ ଅଂଶ । କାରଣ ପୋଲିସ ସ୍ପଷ୍ଟ ଭାବରେ କହିଛି ଯେ ଓଲଟି ପଡିଥିବା କାରରେ ବିକାଶ ଦୁବେ ଏବଂ ବହୁ ପୋଲିସ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ “ଇଣ୍ଡିଆ ଟୁଡେ” ରିପୋର୍ଟ ଅନୁଯାୟୀ, ବିକାଶ ଦୁବେକୁ ନେଉଥିବା ଗାଡ଼ି ଥିଲା ଟାଟା ସଫାରି ଷ୍ଟର୍ମ କାର । “ଆଜ ତକ” ଦଳ କାରକୁ ପିଛା କରୁଥିଲେ ଯାହାର ଫୁଟେଜ୍ ବି ଅଛି । କିନ୍ତୁ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଆଗକୁ ଯିବାକୁ ବାରଣ କରାଯାଇଥିଲା । ପରେ ଘଟଣାସ୍ଥଳରେ ଓଲଟି ପଡିଥିବା SUV ଥିଲା ମହିନ୍ଦ୍ରା TUV 300 ।
“ଆଜ ତକ” ସାମ୍ବାଦିକ ଅରବିନ୍ଦ କୁମାର ଓଝାଙ୍କ କହିବାନୁଯାୟୀ ବିକାଶ ଦୁବେକୁ ନେଉଥିବା କାରର ପିଛା କରିଥିଲୁ ଆମେ । ସେ ସଫାରି କାରରେ ଥିଲେ । ଆମ ପାଖରେ ଭିଜୁଆଲ୍ ଅଛି । ହେଲେ ଆମକୁ ଆଗରେ ଅଟକାଇ ଦିଆଗଲା ଓ STF ବିଭ୍ରାନ୍ତ କରିବାକୁ ଚେଷ୍ଟା କଲା । ଆମେ ବିଳମ୍ବରେ ଗଲୁ ଓ ଆମକୁ ଗୋଟିଏ ଗାଡ଼ି ଓଲଟି ପଡିଥିବା ଦେଖିବାକୁ ମିଳିଲା । ପୋଲିସ ଆମକୁ କହିଲା ଯେ ଓଲଟି ପଡିଥିବା ଗାଡ଼ିରେ ଅଭିଯୁକ୍ତ ବିକାଶ ଥିଲା ।
ଭାଉଣ୍ଟିରେ ଘଟଣାସ୍ଥଳ ପାଖରୁ ପ୍ରାୟ ୨୦ କିଲୋମିଟର ଦୂରରେ ବାରା ଜୋଡ ଟୋଲ୍ ପ୍ଲାଜା ଅଛି । ତାର ଏକ ଫୁଟେଜ୍ ସାମ୍ନାକୁ ଆସିଛି ଯେଉଁଥିରେ ବିକାଶ ଦୁବେ ଟାଟା ସଫାରି କାରରେ ବସିଥିବାର ନଜର ଆସିଛି ।
ଏଇଠି ପ୍ରଶ୍ନ ଉଠୁଛି ଯେ ଅଭିଯୁକ୍ତକୁ ନିଆଯାଉଥିବା କାର କେମିତି ବଦଳିଗଲା ? ଏନେଇ କାନପୁର ରେଞ୍ଜ ଆଇଜି ମୋହିତ ଅଗ୍ରୱାଲ ଗଣମାଧ୍ୟମକୁ କହିଛନ୍ତି ଯେ “ମୁଁ ଯେତିକି ଜାଣିଛି ଓ ପୋଲିସ ସହିତ କଥା ହୋଇଥିଲି ଅଭିଯୁକ୍ତକୁ ଉଜ୍ଜଇନରୁ ସେହି ଗାଡିରେ ବସି ଆସୁଥିଲେ ଓ ଗାଡ଼ିଟିର ଦୁର୍ଘଟଣା ଘଟିଥିଲା । ଗାଡ଼ିର କୌଣସି ଅଦଳବଦଳ ହୋଇନାହିଁ ।“