କରୋନା ମାମଲା ବଢିବାରେ ରାଜ୍ୟର ଏବେ ପ୍ରାୟ ସମସ୍ତ ଜିଲ୍ଲା ଅନ୍ତଭୁକ୍ତ ହେଲେଣି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ୟା’ ଭିତରେ ଜିଲ୍ଲାଗୁଡ଼ିକ ନିଜ ନିଜ ସୁରକ୍ଷାକୁ ନଜରରେ ରଖି ଲକ୍ଡାଉନ୍ ଜାରି କରୁଛନ୍ତି । ଏହି କ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଗାମୀ ୧୦ ଦିନ ପାଇଁ ଜିଲ୍ଲାରେ ଲକ୍ଡାଉନ୍ ଘୋଷଣା କରିଛି ।
ସୂଚନା ଅନୁଯାୟୀ ଆସନ୍ତାକାଲି ଜୁଲାଇ ୨୯ ତାରିଖ ସକାଳ ୫ ଟାରୁ ଅଗଷ୍ଟ ୭ ତାରିଖ ମଧ୍ୟରାତ୍ରି ଯାଏଁ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ଲକ୍ଡାଉନ୍ ରହିବ । ତେବେ ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ, ଦୋକାନ ଏବଂ ସେବା ଚାଲୁ ରହିବ । ସେଥିପାଇଁ ସକାଳ ୭ ଟାରୁ ଅପରାହ୍ନ ୧ ଟା ଯାଏ ରାସନ, କ୍ଷୀର, ପରିବା ଦୋକାନଗୁଡ଼ିକ ଖୋଲା ରହିବ ।
ପ୍ରାୟ ୩ ଘଣ୍ଟା ତଳେ କନ୍ଧମାଳ ଜିଲ୍ଲାପାଳ ସୋସିଆଲ ମିଡ଼ିଆରେ ଟ୍ଵିଟ କରି କହିଛନ୍ତି ଯେ ଲକ୍ଡାଉନ୍ ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କଗୁଡ଼ିକ ସର୍ବନିମ୍ନ କର୍ମଚାରୀଙ୍କ ସହିତ କାର୍ଯ୍ୟକ୍ଷମ ହେବ । ବ୍ୟାଙ୍କରେ ଅଯଥା ଭିଡ଼ ନକରି ସମସ୍ତେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ କରନ୍ତୁ, ଏହା ସୁରକ୍ଷିତ ମଧ୍ୟ । ଘରେ ରୁହନ୍ତୁ, ନିଜର ତଥା ଅନ୍ୟମାନଙ୍କ ଜୀବନ ସୁରକ୍ଷିତ ରଖନ୍ତୁ ।
ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା କନ୍ଧମାଳରେ ୪୫୨ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲାବେଳେ ୨୦୬ ଟି ଆକ୍ଟିଭ କେସ୍ ରହିଛି । ସେଥିମଧ୍ୟରୁ ୨୪୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରକାଶଥାଉକି, କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ତଥା ରାଉରକେଲା ମହାନଗର ନିଗମରେ ୧୪ ଦିନିଆ ଲକ୍ଡାଉନ୍ ଜାରି କରିଥିଲେ । ସେ କଟକଣା ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ ଯେଉଁଠି ଏବେ ଆଉ ଶନିବାର, ରବିବାର ଦୁଇଦିନିଆ ସଟ୍ଡାଉନ୍ ଲାଗୁ ହେଉନାହିଁ ।