ପ୍ରେମ କେଉଁଠି ବି ହେଇପାରେ, କେମିତି ବି ହେଇପାରେ । ହେଲେ ପ୍ରେମ ପାଇଁ ଅନେକ ସମୟରେ ଦାରୁଣ ପରିସ୍ଥିତି ଉପୁଜେ ନିରୀହ ବଳି ପଡ଼େ । ସେମିତି ଏକ ଘଟଣା ଘଟିଯାଇଛି ମାର୍ଶାଘାଇ ବ୍ଲକ୍ ଅଧୀନସ୍ଥ କରିଲୋପାଟଣା ମହାବିଦ୍ୟାଳୟର କ୍ଵାରେଣ୍ଟିନ ସେଣ୍ଟରରେ । ତାମିଲନାଡୁରୁ ଫେରିଥିବା ଜଣେ ପ୍ରବାସୀ ଯୁବକ ବ୍ଲେଡ୍ରେ ନିଜ ବାମ ହାତକୁ କାଟି ଗୁରୁତର ହୋଇପଡ଼ିଛନ୍ତି ।
ଘଟଣାଟି ଏହିପରି । ମହାକାଳପଡ଼ା ବ୍ଲକ ରାମନଗର ଅଞ୍ଚଳର ଥିଲେ ଏହି ଯୁବକ ଜଣକ ଯିଏ ତାମିଲନାଡୁରେ କାମ କରୁଥିଲେ । ସେଠୁ ଫେରି ୧୨ ଦିନ ହେବ ସେ କ୍ଵାରେଣ୍ଟିନ ସେଣ୍ଟରରେ ରହୁଥିଲେ । ଗତକାଲି ଗୁରୁବାର ଦିନ ସକାଳ ପ୍ରାୟ ୧୦ ଟା ସମୟରେ ଫୋନରେ କାହା ସହ କଥା ହେଉ ହେଉ ହେଉ ରୁମରୁ ବାହାରି ଛାତ ଉପରକୁ ପଳାଇଲେ । କିଛି ସମୟ ପରେ ତଳକୁ ଫେରିଲେ ହେଲେ ସେତେବେଳକୁ ତାଙ୍କ ବାମ ହାତ କଟା ହୋଇ ରକ୍ତ ବାହାରୁଥାଏ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ଵାରେଣ୍ଟିନ ସେଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀ ତଥା ସ୍ଥାନୀୟ ସରପଞ୍ଚ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ଏ ଘଟଣା ସମ୍ପର୍କରେ ଅବଗତ କରଯାଇଥିଲା ।

କରିଲୋପାଟଣା ସରପଞ୍ଚ ସୁକାନ୍ତ ସାହୁଙ୍କ କହିବାନୁଯାୟୀ ଯୁବକ ଜଣକର କଟା ସ୍ଥାନରେ ୩୨ଟି ଷ୍ଟିଚ୍ କରାଗଲା ଓ କିଛି ଔଷଧପତ୍ର ଦେଇ ପଠାଇ ଦିଆଗଲା । କାହା ସାଙ୍ଗରେ ଫୋନ୍ରେ କଥା ହେଉଥିବାବେଳେ ଭାବପ୍ରବଣ ହେଇ ସେ ଏପରି ନିଜକୁ କ୍ଷତି ପହଞ୍ଚାଇଛି ଓ ଏହା ପ୍ରେମ ବ୍ୟାପାରକୁ କେନ୍ଦ୍ର ହେଇପାରେ ବୋଲି ସନ୍ଦେହ କରାଯାଉଛି ।
ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରିଲା ପରେ ପ୍ରଶାସନ ପକ୍ଷରୁ ଯୁବକ ଜଣଙ୍କ ପରିବାର ଲୋକଙ୍କୁ ଏନେଇ ସୂଚନା ଦିଆଯାଇଥିଲା । ଆହତ ଅବସ୍ଥାରେ ନିଜ ନିତ୍ୟକର୍ମ ସମ୍ପାଦନ କରିବାରେ ଅସୁବିଧା ହେବ କହି ଯୁବକକୁ ହୋମ୍ କ୍ଵାରେଣ୍ଟିନରେ ରଖିବା ପାଇଁ ଅନୁମତି ମିଳୁ ବୋଲି ଯୁବକର ମାମୁଁ ନିବେଦନ କରିଥିଲେ । ନିବେଦନ ରକ୍ଷା କରି ଯୁବକକୁ ମଧ୍ୟ ଡିସ୍ଚାର୍ଜ ସାର୍ଟିଫିକେଟ ଦେଇ ଅବଶିଷ୍ଟ ଅବଧି ହୋମ୍ କ୍ଵାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି ।