ଛତିଶଗଡ଼ର ଧାମତରୀ ଜିଲ୍ଲାର ଗୋଜି ଗାଁରେ କବାଡ଼ି ପ୍ରତିଯୋଗିତା ଚାଲିଥିଲା ବେଳେ ଘଟିଛି ବଡ଼ ଦୁର୍ଘଟଣା । କବାଡ଼ି ଖେଳୁ ଖେଳୁ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଧିକାରୀମାନେ ଗୁରୁବାର ଦିନ ସୂଚନା ଦେଇଛନ୍ତି । କବାଡ଼ି ଖେଳିଲାବେଳେ ଖେଳାଳିମାନେ ଅଚାନକ ଜଣକୁ ଘେରି ଯାଇଥିଲେ ଯାହା ଦର୍ଶକମାନଙ୍କ ଭିତରୁ ଜଣେ ଭିଡ଼ିଓ କରିଥିଲେ । ସେହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଧାମତରୀ ଜିଲ୍ଲାର କୋକାଡ଼ି ଗାଁର ବାସିନ୍ଦା ନରେନ୍ଦ୍ର ସାହୁ ଖେଳୁ ଖେଳୁ ଅନ୍ୟ ପକ୍ଷର ଖେଳାଳିଙ୍କ ଦ୍ଵାରା ଧରାଯିବା ପରେ ପ୍ରତିପକ୍ଷଙ୍କ ଦଳାଚକଟାରେ ପ୍ରାଣ ହରାଇଥିଲେ । ବୁଧବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ମୃତକ ସାହୁ ପ୍ରତିପକ୍ଷଙ୍କ ପାଇ ଛୁଇଁ ଫେରୁଥିଲା ବେଳେ ଜଣେ ଖେଳାଳି ତାଙ୍କ ଗୋଡ଼ ଟାଣି ଧରିଥିଲେ ଏବଂ ପରେ ଅନ୍ୟମାନେ ସମସ୍ତେ ମିଶି ତାଙ୍କୁ ଘେରି ଯାଇଥିଲେ । ହେଲେ ଅଚାନକ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ ବୋଲି କୁରୁଦ୍ ଥାନା ଇନଚାର୍ଜ ରାମନାରେଶ ସେଙ୍ଗର କହିଛନ୍ତି । ଏହାସହିତ ସେ କହିଛନ୍ତି ଯେ ସହ-ଖେଳାଳିମାନେ ଏବଂ ଗାଁର ସରପଞ୍ଚ ସାହୁଙ୍କୁ ତୁରନ୍ତ କୁରୁଦ୍ ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।
ଥାନା ଇନଚାର୍ଜ ରାମନାରେଶ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ସାହୁଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ତଥାପି ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା । ଏହାସହିତ ପୋଲିସ 164 CrPC ଅଧୀନରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।