ବିଦେଶରେ ଓଡ଼ିଆ ଭାଷା ଗଢିଲା ନିଜର ସ୍ୱତନ୍ତ୍ର ପରିଚୟ : ଆର୍ଜେଣ୍ଟିନାରେ ଅନୁଷ୍ଠିତ ଫିଲ୍ମ ଫେଷ୍ଟିଭାଲ୍‌ରେ ପୁରସ୍କୃତ ହେଲା ଏହି କ୍ଷୁଦ୍ର ଚଳଚ୍ଚିତ୍ର

କରୋନାକୁ ନେଇ ଚାଲିଛି ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମମାନ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ସେଥି ମଧ୍ୟରେ ପ୍ରମୁଖ କଟକଣା । ଏ ସମୟରେ କିନ୍ତୁ ନିଆରା ଏକ ଢଙ୍ଗରେ ବ୍ରହ୍ମପୁରରେ ନିର୍ମିତ ହୋଇଥିଲା ସଚେତନତା ବାର୍ତ୍ତା ସମ୍ବଳିତ ଏକ କ୍ଷୁଦ୍ର ଚଳଚିତ୍ର ‘ମାସ୍କ’ । ଏହି ଫିଲ୍ମଟି ନିର୍ମିତ କରିବା ପଛରେ ଥିଲେ କୋଭିଡ଼ ଯୋଦ୍ଧା ଭାବେ କାର୍ଯ୍ୟରତ ବ୍ରହ୍ମପୁର ସ୍ୱତନ୍ତ୍ର ଏସ୍‌ଡିଏମ୍‌ ତଥା ବରିଷ୍ଠ ଓଏଏସ୍‌ ଅଧିକାରୀ ଶ୍ୱେତ କୁମାର ଦାଶ ।

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ଏହି କ୍ଷୁଦ୍ର ଫିଲ୍ମଟି ଏବେ ଆର୍ଜେଣ୍ଟିନାରେ ଅନୁଷ୍ଠିତ କ୍ୱାରେଣ୍ଟାଇନ୍‌ ଇମେଜ୍‌ ଫିଲ୍ମ ଫେଷ୍ଟିଭାଲ୍‌-୨୦୨୦ ରେ ପୁରସ୍କୃତ ହୋଇଛି । ତିନି ହଜାର ଫିଲ୍ମକୁ ପଛରେ ପକାଇ ୭ ମିନିଟ ୧୮ ସେକେଣ୍ଡର ଏହି କ୍ଷୁଦ୍ର ଓଡ଼ିଆ ଫିଲ୍ମଟି ହାସଲ କରିଛି ଇଣ୍ଟର୍‌ନ୍ୟାସନାଲ୍‌ ପିପୁଲ୍‌ସ୍‌ ଚଏସ୍‌ ପୁରସ୍କାର । ଏହା କେବଳ ସଫଳତା ନୁହେଁ ବରଂ ଓଡ଼ିଶା ପାଇଁ ଗୌରବର କଥା ।

ସୂଚନା ଅନୁଯାୟୀ ଏ ଫିଲ୍ମଟି ମହାମାରୀ କରୋନା ସମୟରେ ମାସ୍କର ସଚେତନତା ଏବଂ ଜଣେ ବାଳକ ଜୀବନର ସଂଘର୍ଷର କାହାଣୀ । କୋଭିଡ଼ ଡ୍ୟୁଟିରେ ନିୟୋଜିତ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ୱାବଧାନରେ ନିର୍ମିତ ଏହି ଫିଲ୍ମର ମୂଳ ବିଷୟବସ୍ତୁ କରୋନା ଆଧାରିତ ତଥା ଜନସାଧାରଣଙ୍କ ସୁରକ୍ଷା । ଦେଶବାସୀ ସୁରକ୍ଷିତ ରହିଲେ ଦେଶ ବଞ୍ଚିବର ସାରାଂଶକୁ ନେଇ “ମାସ୍କ’ ଫିଲ୍ମଟି ନିର୍ମିତ ହୋଇଛି । ଜନ ସଚେତନତାକୁ ଜାଗ୍ରତ କରିବା ସହିତ କୋଭିଡ଼-୧୯ କୁ ପ୍ରତିହତ କରିବା ପାଇଁ ଏହାକୁ ଏକ  ମାଇଲ୍‌ଖୁଣ୍ଟ କହିହେବ ।

ଆଧୁନିକ ସହର (ବ୍ରହ୍ମପୁର) ଷ୍ଟେସନ୍‌ ରୋଡ୍‌ରେ ରହୁଥିବା ଏକ ଗରିବ ପରିବାରର ପୁଅ ଯିଏ ନବମ ଶ୍ରେଣୀର ଜଣେ ଛାତ୍ରକୁ ନେଇ ଫିଲ୍ମଟି ଆଗେଇ ଯାଇଛି । ନିଜେ ପାଠ ପଢିବା ସହିତ ଅଜି ତା’ ମାଆ ସିଲାଉଥିବା ମାସ୍କକୁ ସହରରେ ବିକ୍ରି କରି ପରିବାର ଗୁଜୁରାଣ ମେଣ୍ଟାଉଛି । ସାଇକେଲରେ ବୁଲିବୁଲି ବିକ୍ରି କରୁଛି ମାସ୍କ । ବିଡ଼ମ୍ବନାର ବିଷୟ ଯେ ସହରବାସୀ କଟନ୍‌ ହାତ ସିଲେଇ ମାସ୍କକୁ ହେୟ ମନେ କରୁଛନ୍ତି, କିଏ ଫ୍ୟାନ୍ସି ନୁହେଁ କହିଲାଣି ତ କିଏ ୨୦ ଟଙ୍କା ଅଧିକ ବୋଲି କହିଲାଣି । ଏକଦା ଜଣେ ଧନୀ ସହରୀବାବୁ ଅଜିର ଭେଟ ହୁଏ, ଧନୀ ହେଇ ବି ମାଗଣାରେ ମାସ୍କ ନେବାର ଲାଳସା ତାଙ୍କୁ ଜଣେ ଗରିବର ପରିଚୟ ଦେଇଛି । ସେପଟେ ଅଜି ମାଗଣା ୩ ଟା ମାସ୍କ ତାଙ୍କ ହାତକୁ ବଢାଇ ଦେଇ ଜଣେ ପ୍ରକୃତ ଧନୀର ପରିଚୟ ପାଇଛି ।

ଅଜି ଭୂମିକାରେ ଅଜୟ ଚୌଧୁରୀ, ମାଆ ଭୂମିକାରେ ସୌଭାଗିନି ମଲ୍ଲ ଏବଂ ସାହେବ ଭୂମିକାରେ ଦୁର୍ଗାପ୍ରସାଦ ଶତପଥୀ ଅଭିନୟ କରିଥିବାବେଳେ ନୀଳ ମହାପାତ୍ରଙ୍କ ସୋସିଆଲ୍‌ ଇମେଜ୍‌ ବ୍ୟାନର୍‌ରେ ନିର୍ମିତ ଏହି ସର୍ଟ ଫିଲ୍ମର ପ୍ରଯୋଜନା, ନିର୍ଦ୍ଦେଶନା, ସ୍କ୍ରିପ୍ଟ ଲେଖିବା ଭାର ଡ. ଶ୍ୱେତ କୁମାର ଦାଶ ସମ୍ଭାଳିଛନ୍ତି । ସେହିପରି ମନୋରଞ୍ଜନ ନାୟକ କ୍ୟାମେରା ଓ ସହ-ନିର୍ଦ୍ଦେଶନା କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏହାସହିତ ନିଜେ ମୁଖ୍ୟମନ୍ତ୍ରୀ ଟ୍ଵିଟ କରି ଲେଖିଛନ୍ତି ଯେ କୋଭିଡ଼-୧୯ ର ବିସ୍ତାରକୁ ରୋକିବା ପାଇଁ ମାସ୍କ ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବାକୁ ତାଙ୍କର ଉଦ୍ୟମ ପ୍ରଶଂସନୀୟ ।

Leave a Reply

Your email address will not be published. Required fields are marked *