ଆସି ପହଞ୍ଚିଲା ବର୍ଷା ଋତୁ ଏବଂ ଏହି ବର୍ଷା ଦିନେ ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା । ବର୍ତ୍ତମାନ ପୁଣି କରୋନା ସ୍ଥିତି ଯେତେବେଳେ ବିଶେଷ ଭାବରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହେବ । ତେଣୁ ଆୟୁଷ ମନ୍ତ୍ରଣାଳୟ ତରଫରୁ ଭାଇରାଲ,ଫ୍ଲୁ ଏବଂ ଭାଇରସରୁ ରକ୍ଷା ପାଇବା ପାଇଁ ନାନା ଘରୋଇ ଉପଚାର ବିଷୟରେ କହିଛନ୍ତି । ମୌସୁମୀ ସାଙ୍ଗରେ ଆସେ ଥଣ୍ଡା ଜନିତ ରୋଗ ଯେଉଁଥିରେ ଛିଙ୍କ-କାଶ,ଜ୍ଵର ଏବଂ ତଣ୍ଟି ଦରଜ ଆଦି ସମସ୍ୟା ଦେଖାଦିଏ ।
![](https://sanskarnetwork.in/odia/wp-content/uploads/2020/07/middle-image-cold-cough.jpg)
ଆୟୁଷ ମନ୍ତ୍ରାଳୟ ପକ୍ଷରୁ ତେଣୁ ଜାରି କରାଯାଇଛି କେତୋଟି ଗାଇଡ଼ଲାଇନ । ସେଗୁଡ଼ିକ ହେଲା :
- ମୌସୁମୀ ଜନିତ ସ୍ୱାସ୍ଥ୍ୟ ସମସ୍ୟା ହେଉ କି କରୋନାର ଲକ୍ଷଣ, ହଳଦୀ କ୍ଷୀର ପିଇବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରାଳୟ । ଯଦି ପ୍ରତିଦିନ ଏକ ଗ୍ଲାସ୍ ଗାଈ କ୍ଷୀରରେ ଏକ ଚତୁର୍ଥାଂଶ ଚାମଚ ହଳଦୀ ମିଶାଇ ପିଆଯାଏ ତେବେ ଜଣେ ସୁସ୍ଥ ବ୍ୟକ୍ତି ସୁସ୍ଥ ରହିବା ସହିତ ଆଗତ ସମସ୍ୟାରୁ ବି ଦୂରେଇ ରହିବାରେ ସକ୍ଷମ ହେବ ।
- ହଳଦୀ ଆଣ୍ଟିବାୟୋଟିକ ଭଳି କାମ କରେ । ଏହାବ୍ୟତୀତ ଷ୍ଟିମ୍ ନେବା ମଧ୍ୟ ଅତ୍ୟନ୍ତ ଲାଭପ୍ରଦ । ଏହା ଶରୀରକୁ ସୁସ୍ଥ ରଖିବା ସହିତ ପ୍ରାକୃତିକ ଚିକିତ୍ସା ରୂପେ କାମ କରେ । ଷ୍ଟିମ୍ ନେବା ଦ୍ଵାରା ବନ୍ଦ ନାକ, ଗଳା ଯନ୍ତ୍ରଣାରୁ ମୁକ୍ତି ମିଳେ । ଷ୍ଟିମ୍ ପ୍ରସ୍ତୁତ ପାଇଁ ଗରମ ପାଣିରେ ଭିକ୍ସ କିମ୍ବା ପୋଦିନହରା ପକାଇ ଷ୍ଟିମ୍ ନିଅନ୍ତୁ । ଲବଙ୍ଗ ତେଲ,ଟି-ଟ୍ରି ଅୟେଲ୍ କିମ୍ବା ଲେମନ୍ ଗ୍ରାସ୍ ଅୟେଲ୍ ମଧ୍ୟ ଗରମ ପାଣିରେ ପକେଇ ଷ୍ଟିମ୍ ପ୍ରସ୍ତୁତ କରିପାରିବେ ।
- ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମନ୍ତ୍ରଣାଳୟ ଖାଇବା ପିଇବାକୁ ବେଶୀ ଧ୍ୟାନ ଦେବାକୁ କହିଛି । ବର୍ଷା ଋତୁରେ ଆଦୌ ଫ୍ରିଜରେ ରଖି ଖାଦ୍ୟ ଖାଇବେ ନାହିଁ ବରଂ ସବୁବେଳେ ତାଜା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି ।
- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ମୌସୁମୀ ସମୟରେ ହେଉଥିବା ଫ୍ଲୁର ଲକ୍ଷଣ ତଥା ବର୍ତ୍ତମାନର କରୋନା ଭାଇରସର ଲକ୍ଷଣ ଏକା ଭଳି । ତେଣୁ ଯଦି ଆପଣଙ୍କୁ ଘରୋଇ ଉପଚାରରେ କୌଣସି ପ୍ରକାର ଉପଶମ ମିଳୁନାହିଁ ତେବେ ତୁରନ୍ତ ଡାକ୍ତର ପରାମର୍ଶ କରନ୍ତୁ ।