ମୁମ୍ବାଇର ଜଣେ କ୍ଲବ କ୍ରିକେଟର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କ୍ରିକେଟରଙ୍କ ନାମ କରନ ତିୱାରୀ । ଅଗଷ୍ଟ ୧୦ ତାରିଖରେ ସେ ତାଙ୍କ ଘରେ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଥିଲେ । IPL ରେ ଚୟନ ନହେବା କାରଣରୁ କରନ ଅବସାଦଗ୍ରସ୍ତ ଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।
ତେବେ ସୂଚନା ଅନୁଯାୟୀ ୨୭ ବର୍ଷର କରନ ମଲାଡ଼ର ଗୋକୁଳଧାମରେ ରହୁଥିଲେ । ଅଗଷ୍ଟ ୧୦ ତାରିଖ ଦିନ ସଞ୍ଜବେଳେ ସେ ତାଙ୍କ କୋଠରୀରେ ବନ୍ଧ ଥିଲେ । ରାତି ପ୍ରାୟ ସାଢେ ୧୦ ଟା ପାଖାପାଖି ପରିବାର ଲୋକେ ଡାକିଲେ ହେଲେ କୌଣସି ଉତ୍ତର ମିଳିନଥିଲା । କବାଟ ଭାଙ୍ଗିଲା ପରେ ସେ ସିଲିଂ ଫ୍ୟାନରେ ଝୁଲି ଥିବାର ମିଳିଲେ । ଅଧ ରାତିରେ କୁରାର ପୋଲିସ ଷ୍ଟେସନର ଇନ୍ସପେକ୍ଟର ବାବାସାହେବ ସାଲୁଙ୍କେଙ୍କ କହିବାନୁଯାୟୀ ଏହି ମାମଲାକୁ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୂପେ ଦାଖଲ କରାଯାଇଛି ।
ମିଳିଥିବା ଖବର ଅନୁଯାୟୀ କରନ ତିୱାରୀ IPL-2020 ରେ ନିର୍ବାଚିତ ହେବେ ବୋଲି ଆଶା କରାଯାଉଥିଲା । ସେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ନେଟ୍ସରେ ବୋଲିଂ ବି କରିଥିଲେ, କିନ୍ତୁ ମନୋନୀତ ହେଲେନି । ସେଥିପାଇଁ ସେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । କରନଙ୍କ ବନ୍ଧୁମାନେ କହିଥିଲେ ଯେ ତାଙ୍କୁ କ୍ଲବ କ୍ରିକେଟରେ ‘ଜୁନିଅର ଷ୍ଟେନ’ କୁହାଯାଉଥିଲା । ତାଙ୍କର ବୋଲିଂ ଆକ୍ସନ୍ ଡାଲ୍ ଷ୍ଟେନଙ୍କ ସହିତ ବହୁତ ସମାନ ଥିଲା । ତେବେ ସୂଚନା ଥାଉ ଯେ ଷ୍ଟେନ ଜଣେ ଦକ୍ଷ ଦକ୍ଷିଣ ଆଫ୍ରିକୀୟ ବୋଲର ।
ପୋଲିସକୁ କ୍ରିକଟ୍ରାକର କହିଛି ଯେ କରନ ଉଦୟପୁରରେ ରହୁଥିବା ଜଣେ ବନ୍ଧୁଙ୍କୁ ଫୋନ କରିଥିଲେ । ତାଙ୍କୁ କହିଥିଲେ ଯେ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି । IPL ରେ ନିର୍ବାଚିତ ନହେବାରୁ ସେ ଚାପରେ ଅଛନ୍ତି ବୋଲି ବି କହିଥିଲେ । ଏହା ପରେ କରନଙ୍କ ସାଙ୍ଗ ଫୋନ କରି ତାଙ୍କ ଭଉଣୀକୁ ଏ ବିଷୟରେ ସୂଚନା ଦେଲେ । ଭଉଣୀ ମା’ଙ୍କୁ କହିଲେ ହେଲେ ସେତେବେଳକୁ କରନ ଆତ୍ମହତ୍ୟା କରି ସାରିଥିଲେ ।
କରନଙ୍କ ବନ୍ଧୁ କହିଛନ୍ତି ଯେ ସେ ମଧ୍ୟ ରାଜ୍ୟ ଦଳରେ ସ୍ଥାନ ପାଇବାକୁ ଆଶା କରୁଥିଲେ ଓ ସେ ପ୍ରସଙ୍ଗରେ କଥାବାର୍ତ୍ତା ଚାଲିଥିଲା । ସେ ବହୁତ ଭଲ ବୋଲର ଥିଲେ ଏବଂ ସ୍ମରଣୀୟ କ୍ରିକେଟ୍ କ୍ଲବ, ୟୁନାଇଟେଡ୍ ଫ୍ରେଣ୍ଡସ୍ କ୍ଲବରେ ଖେଳୁଥିଲେ । ତେବେ IPL ନିଲାମିରେ ଭାଗ ନେବାକୁ ଭାରତୀୟ ଖେଳାଳିଙ୍କୁ ଯେକୌଣସି ସ୍ତରରେ ରାଜ୍ୟ ଦଳରେ ଖେଳିଥିବା ଆବଶ୍ୟକ । ଏହାପରେ ଯାଇ ସେ ନିଲାମ ପାଇଁ ନାମ ପଠାଇପାରିବେ । କରନ ଏହି ମାପଦଣ୍ଡରେ ପହଞ୍ଚି ପାରିନଥିଲେ ।