ଦୁର୍ଗର ପାଟନ ଅଞ୍ଚଳର ଖୁଡ଼ମୁଡ଼ାରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାର ସମାଧାନ କରିଛି ପୋଲିସ । ୮୭ ଦିନ ପରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତଦନ୍ତରେ ପରିବାରର ପୁଅ ଗଙ୍ଗାରାମ ସୋନକର ଏହି ହତ୍ୟାକାଣ୍ଡ ମାମଲାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି । ମାତ୍ର ୪ ଏକର ଜମି ଦଖଲ କରିବାକୁ ଯାଇ ସେ ଏହି ଅମାନୁଷିକ କାଣ୍ଡ ଭିଆଇଥିଲେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାର୍କୋ ପରୀକ୍ଷଣରୁ ମିଳିଥିବା ସୂଚନା ଆଧାରରେ ଗଙ୍ଗାରାମ ସୋନକରଙ୍କୁ ଗିରଫ କରାଗଲା ।
ଗଙ୍ଗାରାମ ତାଙ୍କ ସାଙ୍ଗ ମହାକାଳ, ରୋହିତ ସୋନକର ଏବଂ ପଡ଼ୋଶୀ ନରେଶଙ୍କ ସହିତ ମିଶି ୨୧ ଡିସେମ୍ବର ୨୦୨୦ ରେ ଏହି ହତ୍ୟାକାଣ୍ଡ ଘଟଣା ଘଟାଇଥିଲେ । ତେବେ ଆଜି ଘଟଣାର ୮୭ ଦିନ ପରେ ହତ୍ୟାକାଣ୍ଡର ଖୁଲାସା ହୋଇଛି ବୋଲି ଦାବି କରିଛି ପୋଲିସ । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗଙ୍ଗାରାମ ସୋନକରଙ୍କ ବିରୋଧରେ ଅନେକ ପ୍ରମାଣ ମିଳିଥିଲା ବେଳେ ତାଙ୍କ ୩ ଜଣ ବନ୍ଧୁ ଏହି ଘଟଣା ଘଟାଇବାରେ ଗଙ୍ଗାରାମଙ୍କୁ ସମର୍ଥନ କରିଥିଲେ । ଡିଜିପି ଡିଏମ ଆୱସ୍ତି ଖୁବ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ହତ୍ୟାକାଣ୍ଡ ବିଷୟ ନେଇ ପ୍ରକାଶ କରିବେ ବୋଲି କହିଛନ୍ତି ।
ସୂଚନା ଯେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ନିର୍ବାଚନ ମଣ୍ଡଳୀ ଖୁଡ଼ମୁଡ଼ାଠାରେ ଏକ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ବୃଦ୍ଧ ଦମ୍ପତ୍ତିଙ୍କ ସହିତ ପୁଅବୋହୂକୁ ବି ହତ୍ୟା କରିଥିଲେ । ଏମିତିକି ସେମାନଙ୍କ ୧୧ ବର୍ଷର ଶିଶୁକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ତେବେ ଆହତ ଅବସ୍ଥାରେ ଶିଶୁକୁ ଉଦ୍ଧାର କରାଯାଇଥିଲାବେଳେ ମାମଲାର ତଦନ୍ତ ପାଇଁ ୫ ଟି ଟିମ୍ ଗଠନ କରାଯାଇଥିଲା ।

ସୋନକର ପରିବାର ଗାଁଠାରୁ ପ୍ରାୟ ୧ କିଲୋମିଟର ଏକ କ୍ଷେତରେ ଘର ନିର୍ମାଣ କରି ରହୁଥିଲେ । ଗତ ବର୍ଷ ଡିସେମ୍ବର ୨୧ ତାରିଖ ସକାଳେ ଯେତେବେଳେ ଗ୍ରାମବାସୀମାନେ ଘର ଦେଇ ଯାଇଥିଲେ, ସେତେବେଳେ ସେମାନେ ଘରର ବୋହୂ କିର୍ତ୍ତୀଙ୍କ ରକ୍ତରେ ଭିଜିଥିବା ମୃତଦେହ ଦେଖିଥିଲେ । ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଫରେନସିକ୍ ଟିମ୍ ପହଞ୍ଚିବା ପରେ ଘର ଭିତରର ପାଣି ଟାଙ୍କିରେ ପରିବାରର ମୁଖ୍ୟ ବଳରାମ ସୋନକର, ତାଙ୍କ ପତ୍ନୀ ଦୁଲାରୀ ସୋନକର ଏବଂ ପୁଅ ରୋହିତ ସୋନକରଙ୍କ ମୃତଦେହ ମିଳିଥିଲା । ୧୧ ବର୍ଷର ନାତି ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ବେଳେ ତା’ ମୁଣ୍ଡରେ ଆଘାତ ଲାଗିଥିଲା ।