ଚଳିତ ବର୍ଷ ବଲିଉଡ଼ ଇଣ୍ଡଷ୍ଟ୍ରିକୁ ସତେଯେମିତି କାହାର ନଜର ଲାଗିଯାଇଛି । କିଛି କଳାକାର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବାବେଳେ କେତେକ କଳାକାରଙ୍କର ଗମ୍ଭୀର ଶାରୀରିକ ସମସ୍ୟା ଯୋଗୁ ଅକାଳ ବିୟୋଗ ହୋଇଛି । ତେବେ କିଛି ଦିନ ତଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି ବୋଲି ଏକ ମିଛ ଖବର ଚାରିଆଡ଼େ ଘୁରି ବୁଲିଥିଲା, ଯାହା ମିଛ ଖବର ବୋଲି ତାଙ୍କ ପୁଅ ଅଭିଜିତ୍ ସ୍ପଷ୍ଟ କରିଥିଲେ । ଆଉ ଏବେ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ମୃତ୍ୟୁ ଖବର ସେହିପରି ଏକ ଆଲୋଡନ ସୃଷ୍ଟି କରିଛି ତାଙ୍କ ପ୍ରଶଂସକଙ୍କ ନିକଟରେ ।
ସୂଚନା ଅନୁଯାୟୀ ପ୍ରଥମେ ସେ ଜଣ୍ଡିସ ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ହସ୍ପିଟାଲ ଯାଇ ଯାଞ୍ଚ ପରେ ତାହା ଲିଭର ସିରୋସିସ ନାମକ ଏକ ରୋଗ ବୋଲି ଜାଣିବାକୁ ପାଇଲେ । ତେବେ ଅଗଷ୍ଟ ୧୩ ତାରିଖ ଦିନ ତାଙ୍କୁ ବିପଦମୁକ୍ତ କହି ଡାକ୍ତରଙ୍କ ନିରୀକ୍ଷଣରେ ICU ରେ ରଖିଛନ୍ତି ଓ ସେ ଏବେ ବି ଜୀବିତ ଅଛନ୍ତି ବୋଲି ଅଭିନେତା ରିତେଶ ଦେଶମୁଖ ଟ୍ଵିଟ କରି ଜଣାଇଛନ୍ତି । ସେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି ଓ ଜୀବିତ ଅଛନ୍ତି । ଆସ ତାଙ୍କ ପାଇଁ ପ୍ରାର୍ଥନା କରିବା ବୋଲି ଟ୍ଵିଟ୍ କରି କହିଛନ୍ତି ରିତେଶ ।
ହିନ୍ଦୀ ସିନେ ଜଗତରେ କାମତଙ୍କୁ ସବୁଠୁ ଅଧିକ ପ୍ରସିଦ୍ଧି ମିଳିଥିଲା ୨୦୧୫ ମସିହାରେ ରିଲିଜ୍ ହୋଇଥିବା ଅଜୟ ଦେବଗନ, ତବୁ ଏବଂ ଶ୍ରେୟା ଶରଣଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ୍’ରୁ । ଯଦିଓ ନିର୍ଦ୍ଦେଶକ କାମତ ୨୦୦୫ ମସିହାରେ ମରାଠୀ ଫିଲ୍ମ ‘ଡୋମ୍ବିବଲି ଫାଷ୍ଟ’ରୁ ନିର୍ଦେଶନାରେ ଡେବ୍ୟୁ କରିଥିଲେ ଯାହା ସେ ବର୍ଷ ସବୁଠୁ ବଡ଼ ହିଟ୍ ମରାଠୀ ଫିଲ୍ମଗୁଡ଼ିକରୁ ଗୋଟିଏ । ଏମିତିକି ଏହି ଫିଲ୍ମଟି ବେଷ୍ଟ୍ ଫିଚର୍ ଫିଲ୍ମ ମରାଠୀର ନ୍ୟାସନାଲ୍ ଆୱାର୍ଡ଼ ମଧ୍ୟ ହାସଲ କରିଥିଲା ।
ନିର୍ଦ୍ଦେଶନା ଦେବା ସହିତ କାମତ ‘ହାତ ଆନେ ଦେ’, ‘ସତଚ୍ଚା ଆତ ଘରାତ’(ମରାଠୀ), ‘୪୦୪ ଏରର ନାଟ ଫାଉଣ୍ଡ’, ‘ରକି ହ୍ୟାଣ୍ଡସମ୍’, ‘ଫୁଗେ’, ‘ଡ୍ୟାଡି’, ‘ଜୁଲି-୨’, ‘ଭାବେଶ ଜୋଶୀ’ ଭଳି କେତୋଟି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ଏଥିମଧ୍ୟରୁ ୨୦୧୬ ମସିହାରେ ରିଲିଜ୍ ହୋଇଥିବା ନିଜ ନିର୍ଦ୍ଦେଶିତ ଫିଲ୍ମ ‘ରକି ହ୍ୟାଣ୍ଡସମ୍’ରେ ଅଭିନେତା ଜନ୍ ଆବ୍ରାହମଙ୍କ ବିପକ୍ଷରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ତେବେ ହର୍ଷବର୍ଦ୍ଧନ କପୁର ଅଭିନୀତ ଫିଲ୍ମ ‘ଭାବେଶ ଜୋଶୀ’ରେ ସେ ଶେଷଥର ପାଇଁ ନଜର ଆସିଥିଲେ ।