ଓଲିଉଡ଼ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି …

ନିକଟ ଅତୀତରେ ଅସୁସ୍ଥ ହୋଇପଡ଼ିଥିଲେ ବରିଷ୍ଠ ଓଡ଼ିଆ ସିନେ ଅଭିନେତା ବିଜୟ ମହାନ୍ତି । ଆଜି ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଓଡ଼ିଆ ଚଳଚ୍ଚିତ୍ର ଜଗତର ସତେ ଯେମିତି ଏକ ଯୁଗର ଅବସାନ ହେଲା ।  

କିଛି ଦିନ ତଳେ ସେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରିଥିଲେ ମାତ୍ର ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣିଥରେ ହସ୍ପିଟାଲ ସ୍ଥାନାନ୍ତରଣ କରାଯାଇଥିଲା । ତାଙ୍କୁ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଆଜି ସଞ୍ଜବେଳେ ତାଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ଆଉ ସେଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନା ଅନୁଯାୟୀ ମଇ ମାସରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେ ଚିକିତ୍ସାଧୀନ ଥିଲେ । ଗତ ଜୁନ ୧୪ ତାରିଖରେ ସେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ତେବେ ଘରକୁ ଯିବାକୁ ଇଚ୍ଛା କରିବାରୁ ତାଙ୍କୁ କିଛିଦିନ ତଳେ ଶହୀଦ ନଗର ସ୍ଥିତ ଆପାର୍ଟମେଣ୍ଟକୁ ଅଣାଯାଇଥିଲା ।

ଓଡ଼ିଆ ସିନେମାଙ୍କୁ ଅଭିନେତା ବିଜୟ ମହାନ୍ତିଙ୍କ ଅବଦାନ ଅଭୂଲା । ସେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣ ପାଇ ୧୯୭୬ ମସିହାରେ ‘ନାଗଫାଶ’ ଚଳଚ୍ଚିତ୍ରରେ ପ୍ରଥମ କରି ଅଭିନୟ କରିଥିଲେ । ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ସେ ପାଇଛନ୍ତି । ଏପରିକି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟ ନିର୍ବାହ କରିଥିଲେ । ଅଭିନୟ କରିବା ସହିତ ‘ଭୁଲି ହୁଏନା’ ନାମକ ଏକ ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ବି ଦେଇଛନ୍ତି । ସୂଚନା ଥାଉ କି ବିଶିଷ୍ଟ ବଲିଉଡ଼ ଅଭିନେତା ନାସିରୁଦ୍ଦିନ ଶାହା, ରାଜବବର ଏବଂ ଓମ ପୁରୀ ବିଜୟ ମହାନ୍ତିଙ୍କ ସହପାଠୀ ଥିଲେ ।

Leave a Reply

Your email address will not be published. Required fields are marked *