ସଂସ୍କାର,୧୧/୦୭: ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍ ରିଙ୍କି ହତ୍ୟା ମାମଲାରେ ଦିନକୁ ଦିନ ନେଉଛି ନୂଆ ମୋଡ଼। ଭୀମଟାଙ୍ଗୀସ୍ଥିତ ପ୍ରିୟଦର୍ଶିନୀ ହତ୍ୟା ମାମଲାରେ କମିଶନରେଟ୍ ପୁଲିସକୁ ମିଳିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଅପରାଧସ୍ଥଳରୁ ଜବତ ହୋଇଥିବା ୨ଟି ମୋବାଇଲ୍ ଫୋନ୍ର ହ୍ୱାଟସ୍ଅପ୍ ଚାଟ୍ରୁ ପୋଲିସକୁ ମିଳିଛି ରିଙ୍କି ହତ୍ୟା ରହସ୍ୟର କିଛି ସୁରାଗ । ଅନ୍ୟପକ୍ଷରେ ଏହି ହ୍ୱାଟସ୍ଅପ ଚାଟିଂରେ ତାପସ ନାମକ ଜଣେ ଯୁବକଙ୍କ ନାମ ବାରମ୍ବାର ବ୍ୟବହାର ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଏଣୁ ପୁଲିସ ସେହି ଯୁବକକୁ ତଦନ୍ତ ପରିସରଭୁକ୍ତ କରି ଜେରା କରିବା ପାଇଁ ଯୋଜନା କରିଛି।
ଏହି ଜଘନ୍ୟ କାଣ୍ଡ ଘଟାଇଥିବା ପ୍ରେମିକ ଜଗନ୍ନାଥ ପ୍ରଧାନ ଓରଫ୍ ଜଗନ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍ ରିଙ୍କିଙ୍କ ମୋବାଇଲ୍ ଫୋନ୍ର ହ୍ୱାଟସ୍ଆପ୍ ଚାଟ୍କୁ ପୁଲିସ ଯାଞ୍ଚ କରିଥିଲା । ଏଥିରୁ ପୁଲିସକୁ ଏହି ପ୍ରେମୀଯୁଗଳଙ୍କ ତିକ୍ତତାର କାରଣ ଜଣାପଡି଼ଛି ।
ଏପଟେ ଲକ୍ଡାଉନ୍ କାରଣରୁ ଜଗନଙ୍କ ଚାକିରି ଯିବାରୁ ସେ ବେଙ୍ଗାଲୁରୁରୁ ଫେରିଥିଲେ । ପରବର୍ତ୍ତୀ ସମୟରେ ଯାଜପୁରରେ ରହି ‘ସେଭ୍ ସପ୍’ ନାମକ ଗୋଟିଏ ନେଟୱର୍କିଂ ସଂସ୍ଥାରେ ଚାକିରି କଲେ । କିନ୍ତୁ ତାଙ୍କ ଇଚ୍ଛା ମୁତାବକ ରୋଜଗାର ନ ହେବାରୁ ସେ ମାନସିକସ୍ତରରେ ଭାଙ୍ଗି ଯାଇଥିଲେ । ଏତିକିବେଳେ ଫେସ୍ବୁକ୍ରେ ଏକ ଦୁଃଖଭରା ପୋଷ୍ଟ କରିଥିଲେ । ଯାହାକୁ ଦେଖି ରିଙ୍କି ତାଙ୍କ ସହ ହ୍ୱାଟସ୍ଅପ୍ରେ ଯୋଗାଯୋଗ କଲେ ।
କିନ୍ତୁ ତାପସ ନାମକ ଯୁବକଙ୍କ କଥା ଜାଣିବା ପରେ ଜଗନ ପ୍ରତିଶୋଧର ନିଆଁରେ୍ ଜଳିବାକୁ ଲାଗିଲା । ଏମିତିକି ସେ ମାସ ଭିତରେ ୨ ଥର ଭୀମଟାଙ୍ଗୀସ୍ଥିତ ରିଙ୍କିଙ୍କ ଘରକୁ ଆସିଥିଲା । ପରେ ରିଙ୍କି ନେହୁରା ହେବାରୁ ସେ ଫେରିଯାଇଥିଲା । ଏସବୁ ତଥ୍ୟକୁ ଭିତ୍ତି କରି ପୁଲିସ ତଦନ୍ତ ଆଗେଇଛି ।
ଏପଟେ ଜଗନ ଏବେ ହସ୍ପିଟାଲ ଆଇସିୟୁ ବେଡ୍ରେ ଛଟପଟ ହେଉଛି । ତାହାର ମାନସିକ ସ୍ଥିତି ଓ ସ୍ୱାସ୍ଥ୍ୟ ଭଲ ନଥିବାରୁ ପୁଲିସ ଏଯାଏଁ ତାକୁ ଜେରା କରି ପାରିନି।
ଅନ୍ୟପକ୍ଷରେ ଜଗନର ଜଣେ କଲେଜ ସାଙ୍ଗ କହିଛନ୍ତି ଯେ, ତାପସ ନାମକ ଜଣେ ଛାତ୍ର ଯାଜପୁର ବ୍ରହ୍ମବରଦା ମହାବିଦ୍ୟାଳୟରେ ପଢ଼ୁଥିଲା । ତାଙ୍କ ଘର ବନ୍ଧଡିହରେ । ରିଙ୍କିଙ୍କ ସହ ତା’ର ଗଭୀର ବନ୍ଧୁତା ଥିଲା । ଉଭୟେ ଏକାଠି ବୁଲାବୁଲି କରୁଥିଲେ । ଯେତେବେଳେ ଜଗନ ସହ ପ୍ରେମ ସମ୍ପର୍କ ଆରମ୍ଭ ହେଲା, ତା’ ପରେ ରିଙ୍କି ତାପସ ସହ ମିଳାମିଶା ବନ୍ଦ କରିଦେଇଥିଲେ । କିନ୍ତୁ ବିବାହ ପରେ ପୁଣି ତାପସ ସହ ସମ୍ପର୍କ ବଢ଼ିଥିଲା କି ନାହିଁ, ଏନେଇ କିଛି ସ୍ପଷ୍ଟ ସୂଚନା ନାହିଁ ।