ରୋଷେଇ ଘରେ ସବୁବେଳେ ଲୋଡ଼ା ପଡୁଥିବା ଦୁଇଟି ଅତ୍ୟାବଶ୍ୟକ ଜିନିଷ ହେଉଛି ପିଆଜ ଆଉ ଆଳୁ । ଦେଶ ସାରା ପନିପରିବା ସହିତ ଆଳୁ ପିଆଜ ଦର ବଢିବାରେ ଲାଗିଛି । ତେବେ ପିଆଜ ଦର ଏବେ ଅନିୟନ୍ତ୍ରିତ ହୋଇଯାଉଥିବାରୁ ସରକାର ଚଳିତ ବର୍ଷ ପିଆଜ ରପ୍ତାନି ଉପରେ କଟକଣା ଜାରି କରିଛନ୍ତି । ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ୍ ଜାରି କରିଥିବା ଏକ ରିପୋର୍ଟ ଅନୁଯାୟୀ ସମସ୍ତ ପ୍ରକାରର ପିଆଜ ରପ୍ତାନି ଉପରେ ରୋକ ଲଗାଯାଇଛି ।
ସୂଚନାଥାଉ ଯେ ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ୍ ଜାରି କରିଥିବା ଏକ ରିପୋର୍ଟ ଅନୁଯାୟୀ ବେଙ୍ଗାଲୁରୁ ରପ୍ତାନି ହେଉଥିବା ରୋଜ ଓ କୃଷ୍ଣାପୁରମ ନାମକ ପିଆଜକୁ ତୁରନ୍ତ ବନ୍ଦ କରାଯାଇଛି । ସେପଟେ ପିଆଜ ଦର ବୃଦ୍ଧିକୁ ସାମୟିକ ବୋଲି କୁହାଯାଇଛି ।

ଚଳିତ ବର୍ଷର ପିଆଜ ରପ୍ତାନି ଗତ ବର୍ଷ ତୁଳନାରେ ଅଧାରୁ ମଧ୍ୟ କମ । ତଥାପି ଗତ ଅପ୍ରେଲ ଜୁନ ମାସ ବେଳକୁ ଦେଶ ୧୯.୮ କୋଟି ଡଲାରର ପିଆଜ ବିଦେଶକୁ ରପ୍ତାନି କରିଛି । କରୋନା ମହାମାରୀ ସମୟରେ ଆମ ଦେଶ ଭାରତ ବିଦେଶକୁ ପ୍ରଚୁର ମାତ୍ରାରେ ପିଆଜ ରପ୍ତାନି କରିଛି । ଫଳରେ ନିଅଣ୍ଟିଆ ପରିସ୍ଥିତି ଉପୁଜିଛି ଓ ପିଆଜ କ୍ୱିଣ୍ଟାଲ ପିଛା ଦର ୨୫୦୦ ଟଙ୍କାରେ ପହଞ୍ଚିଛି ।
ବାଂଲାଦେଶ, ୟୁଏଇ, ମାଲେସିଆ ଓ ଶ୍ରୀଲଙ୍କା ଭଳି ଦେଶକୁ ଭାରତରୁ ପିଆଜ ରପ୍ତାନି କରାଯାଇଥାଏ । କରୋନା କଟକଣା ଯୋଗୁ ରପ୍ତାନି ପରିମାଣ କମିଛି । ହେଲେ ବଜାରରେ ପିଆଜ କେଜି ପ୍ରତି ୪୫ ଟଙ୍କାରୁ ୫୦ ଟଙ୍କା ଦର ରହିଥିବାବେଳେ ପଚାସଢା ପିଆଜ ମଧ୍ୟ କେଜି ପିଛା ୨୫ ଟଙ୍କା ଦରରେ ବିକ୍ରି ହେଉଛି । ତେବେ ପିଆଜର ଦର ବୃଦ୍ଧି କାରଣ ଚଳିତ ବର୍ଷ ବର୍ଷାରେ ପିଆଜ ଫସଲ ନଷ୍ଟ ହେବା କହିଛନ୍ତି ବ୍ୟବସାୟୀମାନେ ।