ଅନ୍ଲାଇନ୍ ଏବେ ଏମିତି ଏକ ମାଧ୍ୟମ ପାଲଟିଛି ଯାହା କୌଣସି ଜିନିଷ ବା ବ୍ୟକ୍ତିକୁ ଆଉ ଅପହଞ୍ଚ କରେଇ ଦେଉନି । ତେବେ ଜିନିଷ କିଣିବା କିମ୍ବା ନିଜ ପ୍ରିୟଜନ ସହିତ କଥାବାର୍ତ୍ତା ହେବା, ସେତିକିରେ ସୀମିତ ହୋଇ ନାହିଁ ଅନ୍ଲାଇନ୍ ସେବା । ଏବେ ଚର୍ଚ୍ଚାକୁ ଆସିଛି ଅନ୍ଲାଇନ୍ ବାହାଘର ଯଦିଓ ବର କିମ୍ବା କନିଆ ଖୋଜାରେ ଏହାର ବ୍ୟବହାର ବହୁ ପୂର୍ବରୁ ରହିଆସିଛି । ଆଜ୍ଞା ହଁ, ଗତ ୨୭ ତାରିଖ ଦିନ ବର-କନିଆ ଉଭୟ ଆମେରିକାରେ ବିବାହ କଲେ ଏବଂ ବରପକ୍ଷ-କନ୍ୟାପକ୍ଷ ଦୁହେଁ କଟକ ଜିଲ୍ଲା କିଶନନଗରରେ ଦେଲେ ଭୋଜିଭାତ ।

ତେବେ ଭର୍ଚୁଆଲ୍ ବା ଅନ୍ଲାଇନ୍ ବାହାଘର ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁନି ସେତିକି ଖୁସି ମଧ୍ୟ ଲାଗୁଛି । କାରଣ କରୋନା ମହାମାରୀ ଯୋଗୁ ସମସ୍ତ ସ୍ଵାଭାବିକ କାର୍ଯ୍ୟ ବି କଟକଣା ଭିତରେ ଚାଲିଛି । ଏପରି ପରିସ୍ଥିତିରେ ବର-କନ୍ୟା ଦୁଇପକ୍ଷ ଏକାଠି ବସି ଟିଭିରେ ଲାଇଭ୍ ବାହାଘର ଦେଖିଲେ ଓ ଆଶୀର୍ବାଦ କଲେ । ପରେ ଭୋଜିଭାତର ଆସର ଜମିଲା ଏବଂ ବନ୍ଧୁପରିଜନ ଭୋଜିଭାତ ଖାଇଲେ । ଏଭଳି ଏକ ନିଆରା ବାହାଘର ଆୟୋଜନ ଦେଖିବାକୁ ମିଳିଛି କଟକ ଜିଲ୍ଳା କିଶନନଗର ବ୍ଲକ୍ରେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସୂଚନା ଅନୁସାରେ କଟକ କିଶନନଗର ବାସିନ୍ଦା (IIT ଖଡ଼ଗପୁରର ପ୍ରଫେସର ଦମ୍ପତି) ଅରବିନ୍ଦ ରାଉତରାୟ ଓ ମମତା ଜେନାମଣିଙ୍କ ଏକମାତ୍ର ଝିଅ ଅର୍ପିତା ଆମେରିକାରେ ରୁହନ୍ତି ଓ କାରନ୍ଗି ମେଲନ୍ ବିଶ୍ୱବିଦ୍ୟାଳୟରେ ପିଏଚ୍ଡି କରୁଛନ୍ତି । ତେବେ କରୋନା ପୂର୍ବରୁ ଅର୍ପିତାଙ୍କ ବାହାଘର କୋଲକାତାର ଅର୍ଜକ୍ ଭଟ୍ଟାଚାର୍ଯ୍ୟଙ୍କ ସହ ଠିକ୍ ହୋଇଥିଲା । ସଂଯୋଗ ବଶତଃ ଅର୍ଜକ୍ ମଧ୍ୟ ଆମେରିକାର ୱାଶିଂଟନ୍ ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ ପିଏଚ୍ଡି କରୁଛନ୍ତି । ଉଭୟଙ୍କ ବିବାହ ଦିନ ଧାର୍ଯ୍ୟ ହେବା ବେଳକୁ କରୋନା କଟକଣା ଲାଗୁ ହୋଇଯାଇଥିଲା । ଫଳରେ ଆମେରିକାରୁ ଫେରି ଓଡ଼ିଶାରେ ବିବାହ କରିବା ସମ୍ଭବ ହୋଇନଥିଲା ଏବଂ ଏହି ସମୟରେ ଭର୍ଚୁଆଲ୍ ବାହାଘର କଥା ମନକୁ ଆସିଲା । ଉଭୟ ବର ଓ କନ୍ୟାପକ୍ଷ ଏକାଠି ବସି ନିଷ୍ପତ୍ତି ନେଲେ ଏବଂ ଅନ୍ଲାଇନ୍ ବାହାଘର ଉତ୍ସବ ଆୟୋଜନ କରିବାକୁ ଯୋଜନା ହେଲା । ଆମେରିକାର ଟେକ୍ସାସ୍ ଠାରେ ଥିବା ସିରିନ୍ ଆଶ୍ରମରେ ହିନ୍ଦୁ ରୀତିନୀତିରେ ବିବାହ ହେଲାବେଳେ ଭୋଜିଭାତ ହେଲା କଟକ ସହରରେ ।