କଟକଣା ସିନା ଦେହ ପାଇଁ ସ୍ୱାସ୍ଥ୍ୟ ପାଇଁ, ହେଲେ ମନ ଆଉ ଜିଭ ଲାଳସା କି ମାନେ କିଛି କଟକଣା ! ଏ କରୋନା ଯୋଗୁ ହାତଗୋଡ଼ ଜାକି ଲୋକେ ଘରେ ନିଜକୁ ବନ୍ଦ କରି ରଖିଛନ୍ତି । ଗୁପଚୁପ ଭଳି ଚଟପଟା ଖାଇବା ଯେମିତି ସେମାନଙ୍କ ଭାଗ୍ୟରୁ ଲିଭି ଗଲାଣି । କଟକଣା ଭିତରେ ଥାଇ ଯଦିଓ କେତେଟା ସ୍ଥାନରେ ଗୁପଚୁପ ବାଲାଙ୍କୁ ଦେଖିବାକୁ ମିଳୁଛି କିନ୍ତୁ ଗରାଖଙ୍କ ମନରେ କରୋନା ଭୟ । ସେଇମାନଙ୍କ ପାଇଁ କିନ୍ତୁ ଆସିଛି ଖୁସି ଖବର ।
ଗୁପଚୁପ ଅର୍ଥାତ ହାତରେ ଧରିବ ଗୋଲଗୋପା, ବୁଢା ଆଙ୍ଗୁଠିରେ କଣା କରି ଭରିବ ଆଳୁ ଚକଟା, ତାପରେ ତେନ୍ତୁଳି ପାଣିରେ ବୁଡ଼େଇ ବଢେଇଦେବ ଗରାଖ ହାତକୁ । ଗରାଖ ବି କଉ ଫୁରସତ ଦେବ, ଚଟ କରି ପାଟି ଭିତରକୁ ଫୋଫାଡ଼ି ତାର ଅତି ସ୍ଵାଦିଷ୍ଟ ସେଇ ଗୁପଚୁପକୁ । ହେଲେ କରୋନାବେଳେ ସାମାଜିକ ଦୂରତା ଓ ସ୍ଵଚ୍ଛତା ସହିତ କାଳେ ଏ ବି କରୋନା ପଜିଟିଭର ଭୟ ବେଳେ କେମିତି ଖାଇବ ଜଣେ ତା ଅତି ପ୍ରିୟ ଗୁପଚୁପ !
ଏସବୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜାରରେ ଉପଲବ୍ଧ ଏବେ ଗୁପଚୁପ ATM । ଆଜ୍ଞା ହଁ, ନିକଟରେ ସୋସିଆଲ ମିଡ଼ିଆ ଟ୍ଵିଟରରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ । ଆପଣ ଦେଖିଲା ପରେ ଆପଣଙ୍କ ପାଟିରୁ ଲାଳ ବାହାରିବ ଓ ଆପଣ ବି ଖୋଜି ବସିବେ ଏହି ଗୁପଚୁପ ATM । କାହା ହାତ ବାଜିବନି, ହେଲେ ଆପଣ ଖାଇପାରିବେ ଗୁପଚୁପ । ଅବଶ୍ୟ ଖାଇବାବେଳେ ଟିକିଏ ପାମ୍ପଡ..ଟିକିଏ ଖଟା..ମାଗି ପାରିବେନି କି ଖାଇ ସାରିବା ପରେ ଖଟା ପାଣି ନେଇ ପିଇ ପାରିବେନି ।
ଯଦିଓ ଏ ଗୁପଚୁପ ମେସିନକୁ କୌଣସି ଠୋସ ପ୍ରମାଣ ମିଳିନି କି ଏହାର ସତ୍ୟତା ଜଣା ପଡିନାହିଁ ତଥାପି ସୋସିଆଲ ମିଡ଼ିଆ ଏ ଭିଡ଼ିଓ ଖୁବ ଭାଇରାଲ ହେଉଛି । ୟୁଜର୍ସ ଟ୍ୱିଟରରେ ଏହି ମେସିନକୁ ଶେୟାର କରି ‘ପାନି ପୁରୀ ଏଟିଏମ୍ ମେସିନ’ ବୋଲି ଲେଖିଛନ୍ତି ଓ ମାର୍କେଟ୍ରେ ଲଞ୍ଚ ହେଇଛି ବୋଲି ବି କହିଛନ୍ତି ।
ଜଣେ ଟ୍ଵିଟର ୟୁଜର୍ସଙ୍କ କହିବାନୁଯାୟୀ ଏହି ମେସିନ ବାହାର କରିବାକୁ ୬ ମାସ ସମୟ ଲାଗିଲା ଏବଂ ଏହି ମେସିନରେ ଥିବା ଷ୍ଟାର୍ଟ ବଟନ ସିଲେକ୍ଟ କରିବାପରେ ଆପଣ ଯେତିକି ଟଙ୍କାର ଗୁପଚୁପ ଖାଇବେ ସେ ଟଙ୍କା ଭର୍ତ୍ତି କରିବେ । ତାପରେ ଦେଖିବେ ମେସିନରୁ ଗୋଟିଏ ପରେ ଗୋଟିଏ ଗୁପଚୁପ ବାହାରି ଆସୁଛି ।