ସାଧାରଣ ଲୋକଙ୍କୁ ଆଶ୍ୱସ୍ତି : ପେଟ୍ରୋଲ ୫ କୁ ଡିଜେଲ ଦର ୧୦ ଟଙ୍କା ହ୍ରାସ, ଏପଟେ ଓଡ଼ିଶା ସରକାର ମଧ୍ୟ କମାଇଲେ ତୈଳ ଦର

ସଂସ୍କାର: ତୈଳ ଦରକୁ ନେଇ ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଦୀପାବଳି ଭେଟି ରୂପରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ହ୍ରାସ କରିଛନ୍ତି। ଏହାପରେ ପରେ ଆମ ରାଜ୍ୟ ସରକାର ମଧ୍ୟ ଉଭୟ ଡିଜେଲ ଓ ପେଟ୍ରୋଲ ର ଦର ଉପରେ ୩ ଟଙ୍କା ହ୍ରାସ କରିଛନ୍ତି। ଆଜି ଠାରୁ ଏହି ଦର ଲାଗୁ ହୋଇଯାଇଛି। କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବାକୁ ଯାଉଛି।

ନ୍ୟୁଜି ଏଜେନ୍ସି ଏଏନ୍‌ଆଇ ଅନୁଯାୟୀ, ଭାରତ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦନ ଶୁଳ୍କକୁ ୧୦ ଟଙ୍କା ଲେଖାଏ ହ୍ରାସ କରାଯାଇଛି।

କେନ୍ଦ୍ର ସରକାର ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ପ୍ରାୟ ଦୁଇ ଗୁଣ ହ୍ରାସ କରିଛନ୍ତି। ସେହିପରି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାର ମାନଙ୍କ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟକୁ କମ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରମାନେ ଭ୍ୟାଟ ହ୍ରାସ କଲେ ଲୋକମାନେ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ପାଇବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

ସୂଚନାଯୋଗ୍ୟ, ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଏଥି ଯୋଗୁ ଅନ୍ୟ ସାମଗ୍ରୀଗୁଡ଼ିକର ଦାମ ମଧ୍ୟ ବଢ଼ୁଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଭାଟ୍ ଛାଡ଼ କରିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *