ରିଲିଫ୍‌ ହେରାଫେରି : ଏହି ଜିଲ୍ଲା ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି ୧୫ କୁଇଣ୍ଟାଲ୍‌ ଚୁଡ଼ା ଓ ଗୁଡ଼

ବାରମ୍ବାର ରିଲିଫ୍ ନେଇ ପ୍ରଶାସନିକ ଅବ୍ୟବସ୍ଥା ସାମ୍ନାକୁ ଆସିଛି ଯାହାର ଆଉ ଏକ ନଜିର କେନ୍ଦ୍ରାପଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ପୋକ ଖାଇ ଖତ ହେଉଥିବା ୧୫ କୁଇଣ୍ଟାଲ ଚୁଡା ଆଉ ଗୁଡ଼ । ଆଜ୍ଞା ହଁ, ବାତ୍ୟା ଅମ୍ଫାନରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନମାନଙ୍କ ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ବଣ୍ଟା ହୋଇନି । ବାତ୍ୟା ପ୍ରଭାବିତ ଲୋକେ ଭୋକ ଉପାସରେ ଛଟପଟ ହେଉଥିଲାବେଳେ କେତେକ ଲୋକ ଜିଲ୍ଲାପାଳଙ୍କ ନିକଟରେ ରିଲିଫ ସାମଗ୍ରୀ ପାଇଁ ଫେରାଦ୍‌ ହୋଇଥିଲେ । ମାତ୍ର ଏପଟେ ସଢୁଛି ରିଲିଫ୍ ପାଇଁ ଆସିଥିବା ଖାଦ୍ୟ ସାମଗ୍ରୀ ।

ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂର କେନ୍ଦ୍ରାପଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ଉପରେ ପ୍ରଶ୍ନବାଚୀ ଚିହ୍ନ ଲଗାଇଛି । ବଣ୍ଟନ ଦାୟିତ୍ବରେ ଥିବା ବିଡ଼ିଓ କିନ୍ତୁ ଏନେଇ ସଂପୂର୍ଣ୍ଣ ବେଫିକର ଯେତେବେଳେ କି ଗତ ଛଅ ସାସ ଭିତରେ ବାତ୍ୟା ଓ ବନ୍ୟା ଦୁଇ ଦୁଇଟି ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିଛି କେନ୍ଦ୍ରାପଡ଼ା ଜିଲ୍ଲା ।

ସୂଚନା ଥାଉ ଯେ ଗତ ମଇ ମାସରେ ହୋଇଥିବା ଅମ୍ଫାନ୍‌ ବାତ୍ୟା କେନ୍ଦ୍ରାପଡ଼ା ଜିଲ୍ଳାରେ ଅନେକ କ୍ଷତି କରିଥିଲା ଓ ଅନେକ ଲୋକ ସେ ବାତ୍ୟାରେ ପ୍ରଭାବିତ ହୋଇଥିଲେ । ବିପନ୍ନମାନଙ୍କ ଅଣ୍ଟା ବାତ୍ୟା ମାଡ଼ରୁ ନସଳଖୁଣୁ ଅଗଷ୍ଟରେ ବନ୍ୟାର ତାଣ୍ଡବ । ହେଲେ ଦୁର୍ଭାଗ୍ୟର କଥା ଯେ ଏଭଳି ବିପତ୍ତି ସମୟରେ ରିଲିଫ୍‌ ଯେଉଁ ଖାଦ୍ୟ ସାମଗ୍ରୀ ସରକାର ପଠାଇଥିଲେ ତାହା ପ୍ରଶାସନିକ ଅବହେଳାର ଶିକାର ହୋଇଛି ।

ତେବେ ନିକଟ ଅତୀତରେ ରାଜନଗରର ଘଡ଼ିଆମାଳ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଲୋକେ ଜିଲ୍ଲାପାଳଙ୍କୁ ଭେଟି ୨୦୦ରୁ ଅଧିକ ପରିବାର ରିଲିଫ୍ ପାଇବାରୁ ବଞ୍ଚିତ ହୋଇଥିବା କଥା ଲିଖିତ ଆକାରରେ ଜଣାଇଥିଲେ । ମାତ୍ର କେନ୍ଦ୍ରାପଡ଼ା ବ୍ଲକ୍‌ରେ ରିଲିଫ୍‌ ବଣ୍ଟନରେ ଯେଉଁ ଅବହେଳା ହୋଇଛି, ତାହା ସତରେ ଦୁଃଖଦ ।

Leave a Reply

Your email address will not be published. Required fields are marked *