ୱାସିଂଟନ୍: ବିଶ୍ଵସାରା କରୋନା ଟିକା ତଥା ଔଷଧ ପାଇଁ ଅନୁସନ୍ଧାନ ଚାଲିଛି । ତେବେ ଆଶ୍ଵସ୍ତିର ବିଷୟ ଯେ ଆଧୁନିକ କମ୍ପ୍ୟୁଟର ସିମୁଲେସନ ମାଧ୍ୟମରେ ପୂର୍ବରୁ ବ୍ୟବହୃତ ହେଉଥିବା ଏକ ଔଷଧ ଦ୍ୱାରା କରୋନା ସଂକ୍ରମିତଙ୍କ ଚିକିତ୍ସା ସମ୍ଭବ ବୋଲି ଜାଣିବାକୁ ପାଇଛନ୍ତି ବୈଜ୍ଞାନିକମାନେ । ଏହି ଔଷଧ ଦ୍ଵାରା ଶରୀରରେ କରୋନା ଭାଇରସକୁ ପ୍ରତିକୃତି (ରିପ୍ଲେକ୍ସନ) ନିର୍ମାଣକୁ ରୋକା ଯାଇପାରୁଛି ବୋଲି ସେମାନେ ଦାବି କରିଛନ୍ତି ।
କରୋନା ଭାଇରସ ମଣିଷକୁ ସଂକ୍ରମିତ ହେବା ପରେ ନିଜର ସଂଖ୍ୟା ବୃଦ୍ଧି କରିବାରେ ଲାଗିପଡ଼େ । ଯାହାଫଳରେ ଶ୍ଵାସକ୍ରିୟା ତଥା ଅନ୍ୟ ଅଙ୍ଗକୁ ପ୍ରଭାବିତ କରି ଆକ୍ରାନ୍ତ ରୋଗୀକୁ ମୃତ୍ୟୁ ମୁଖକୁ ଠେଲି ଦିଏ । ତେବେ ଡାକ୍ତରମାନେ ଏହି ଔଷଧକୁ ବାଇପୋଲାର ଡିଜଅର୍ଡର (ଏକ ପ୍ରକାର ମାନସିକ ରୋଗ) ଲାଗି ପ୍ରେସକ୍ସିପସନ୍ କରୁଛନ୍ତି, ଯାହା କମ୍ ଶୁଣିପାରୁଥିବା ରୋଗୀଙ୍କୁ ଦିଆଯାଉଛି । ଏ ନେଇ ଏକ ଆଲୋଚନା ‘ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସେସ୍’ରେ ପ୍ରକାଶିତ ହୋଇଛି ।
ନୋଭେଲ କରୋନା ଭାଇରସର ମୁଖ୍ୟ ଏମପିଆରଓ ଏଞ୍ଜାଇମ ଯିଏ ଭାଇରସକୁ ସଂଖ୍ୟା ବୃଦ୍ଧିରେ ସହଯୋଗ କରେ । ଆମେରିକାର ‘ୟୁନିଭର୍ସିଟି ଅଫ ଚିକାଗୋ’ ସମେତ ଅନ୍ୟ ଗବେଷକମାନଙ୍କ କହିବାନୁଯାୟୀ ଏହି ଏମପିଆରଓ ଭାଇରସକୁ ଜେନେଟିକ ମେଟେରିଆଲରେ ପ୍ରୋଟିନ ନିର୍ମାଣ ପାଇଁ କ୍ଷମତା ପ୍ରଦାନ କରୁଛି । କେବଳ ଏହାଯୋଗୁ ହିଁ କରୋନା ସଂକ୍ରମିତ ରୋଗୀର କୋଷିକାରେ ସେ ନିଜର ସଂଖ୍ୟା ବୃଦ୍ଧି କରିପାରୁଛି ।
ସୂଚନା ଅନୁଯାୟୀ ବାୟୋଲଜିକାଲ ମଲ୍ୟୁକୁଲସରେ ନିଜର ବିଶେଷଜ୍ଞତାକୁ ଉପଯୋଗ କରି ବିଶେଷଜ୍ଞମାନେ କରୋନା ବିରୋଧରେ ସମ୍ଭାବିତ କମ୍ପାଉଣ୍ଡସ୍ର ଦ୍ରୁତ ଯାଞ୍ଚ କରିଥିଲେ ଓ କରୋନା ବିରୋଧରେ ଯେଉଁ ଔଷଧକୁ ନେଇ ସେମାନେ ଆଶାପୋଷଣ କରୁଛନ୍ତି ତାହା ହେଉଛି Ebselen । ଏହି ଔଷଧ Ebselen ର ଉପଯୋଗ ସାଧାରଣତଃ ଡାକ୍ତରମାନେ ବାଇପୋଲାର ଡିଜର୍ଡର ତଥା ଶ୍ରବଣ ଶକ୍ତି ହ୍ରାସ ପାଉଥିବା ରୋଗୀଙ୍କ ଠାରେ ବ୍ୟବହାର କରୁଛନ୍ତି । ଏହି ଔଷଧର କେମିକାଲ କମ୍ପାଉଣ୍ଡରେ ଆଣ୍ଟି ଭାଇରଲ, ଆଣ୍ଟି ଇମ୍ଫ୍ଲାମେଟ୍ରି, ଆଣ୍ଟି ଅକ୍ସିଡେଟିଭ, ବେକ୍ଟ୍ରିସିଡ଼ଲ ଓ ସେଲ ପ୍ରୋଟେକ୍ଟିଭ ପ୍ରପର୍ଟିଜ୍ ରହିଛି । ମଣିଷ ପାଇଁ ସୁରକ୍ଷିତ ତଥା ଏହା କ୍ଲିନିକାଲ ଟ୍ରାଏଲରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛି ବୋଲି ଗବେଷକମାନେ କହିଛନ୍ତି ।