ସାରା ଦୁନିଆରେ ବିଶେଷଜ୍ଞମାନେ କରୋନା ଭ୍ୟାକସିନ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ରୁଷ, ବ୍ରିଟେନ, ଆମେରିକା ଓ ଚୀନ ଆଦି ଦେଶ ଏହି ଭ୍ୟାକସିନ ପ୍ରସ୍ତୁତି ଦୌଡ଼ରେ ଆଗୁଆ ଅଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷ ୨୦୨୧ ସୁଦ୍ଧା କରୋନା ଭ୍ୟାକସିନ ଆସିଯିବ । ଏହି ସମୟରେ ରୁଷ ଘୋଷଣା କରିଛି ଯେ ଆଗାମୀ ଅକ୍ଟୋବର ମାସ ସୁଦ୍ଧା ଦେଶରେ ଭ୍ୟାକସିନ ଦେବା କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ ଡାକ୍ତର ଏବଂ ଶିକ୍ଷକମାନଙ୍କୁ ଭ୍ୟାକସିନ ଦିଆଯିବ ।
ଗତ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ରୁଷ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶାକୋ ଘୋଷଣା କରିଛନ୍ତି ଯେ ଆଗାମୀ ଅକ୍ଟୋବର ମାସରୁ କରୋନା ଭ୍ୟାକସିନ ଉପଲବ୍ଧ ହେବ । ଗାମାଲେୟା ଇନଷ୍ଟିଚ୍ୟୁଟ ଦ୍ଵାରା କରୋନା ଭ୍ୟାକସିନକୁ ନେଇ ସମସ୍ତ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସରିଛି ଓ ଫଳାଫଳ ସକାରାତ୍ମକ ଆସିଛି । ବର୍ତ୍ତମାନ ଏହି କରୋନା ଭ୍ୟାକସିନ ରେଜିଷ୍ଟ୍ରେସନ ଏବଂ ଡିଷ୍ଟ୍ରିବ୍ୟୁସନ ପ୍ରକ୍ରିୟାରେ ରହିଛି ଓ ଚଳିତ ମାସ ଶେଷ ସୁଦ୍ଧା ମଞ୍ଜୁରୀ ମିଳିଯିବ ।
ରୁଷର ଚକିତ କଲାଭଳି ଏହି ପଦକ୍ଷେପକୁ ନେଇ କିନ୍ତୁ ଚିନ୍ତା ଜାହିର କରିଛନ୍ତି ବୈଜ୍ଞାନିକମାନେ । ବୈଜ୍ଞାନିକମାନଙ୍କ କହିବା କଥା ଯେ ରୁଷ ନିଜକୁ ଭ୍ୟାକସିନ ପ୍ରସ୍ତୁତିରେ ପ୍ରଥମ ପ୍ରମାଣିତ କରିବା ପାଇଁ ଭ୍ୟାକସିନର ଯାଞ୍ଚକୁ ତରତର ହୋଇ ଶେଷ କରିଦେଉଛି ଯାହା ପ୍ରକାରାନ୍ତରେ ଉଚିତ ନୁହେଁ ।
ପୂର୍ବରୁ ଏକଦା ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ରୁଷ ହ୍ୟାକର୍ସମାନେ କରୋନା ଭ୍ୟାକସିନ ସମ୍ପର୍କିତ ତଥ୍ୟ ଚୋରି କରିଥିବା ନେଇ ଅଭିଯୋଗ କରିଥିଲାବେଳେ ଆମେରିକାର କରୋନା ଏକ୍ସପର୍ଟ ଏଂଥନୀ ଫସି କହିଛନ୍ତି ଯେ, ଯେକୌଣସି ଦେଶରେ ତିଆରି ହୋଇଥିବା ଭ୍ୟାକସିନ ବ୍ୟବହାର ଉପଯୋଗୀ ନୁହେଁ । ଆମେରିକା, ରୁଷ କିମ୍ବା ଚୀନର ପ୍ରସ୍ତୁତ ଭ୍ୟାକସିନଗୁଡ଼ିକର କ୍ଲିନିକାଲ ଟ୍ରାଏଲ ନିୟମ ସବୁ ଭିନ୍ନଭିନ୍ନ । ହୁଏତ ରୁଷର ଏହି ଭ୍ୟାକସିନ ତାଙ୍କ ସିଷ୍ଟମ ପାସ କରିନପାରେ ।