“ରକ୍ତର ଭାଇ କେବଳ ଭାଇ ନୁହେଁ, ମଣିଷପଣିଆ ବି ଭାଇଚାରା ଶିଖାଏ” ଏହାକୁ ଏହିପରି ପ୍ରମାଣ କରିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ

ଭୁବନେଶ୍ଵର : ମଇ ୩୧ରେ ଜଣେ ଫଟୋଗ୍ରାଫରଙ୍କ ଟ୍ଵିଟ୍‌ରୁ ପ୍ରଦୀପଙ୍କ ବିଷୟରେ ଜାଣିବା ପରେ ସାହାଯ୍ୟର ହାତ ବଢ଼େଇଥିଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଗୋଟେ ପରିବାର ପାଇଁ ବେଙ୍ଗାଲୁରୁରେ ଲଜ୍‌ ବୁକିଂ କରିବା ସହିତ ଉଡାଜାହାଜରେ ସେମାନଙ୍କ ଓଡ଼ିଶା ଫେରିବା ବ୍ୟବସ୍ଥା ବି କରିଥିଲେ ।

୭ ଜଣିଆ ପରାଣିକୁ ନେଇ ବଲାଙ୍ଗିର ଟିକରପଡ଼ା ବାସିନ୍ଦା ପ୍ରଦୀପ ତାଣ୍ଡିଙ୍କ ପରିବାର । ପ୍ରଦୀପ ଓ ତାଙ୍କ ପତ୍ନୀ ସୁଷମା ବେଙ୍ଗାଲୁରୁରେ ଏକ ଇଟା ଭାଟିରେ କାମ କରୁଥିଲେ କିନ୍ତୁ ଏଇ କରୋନା ସବୁ ବିଗାଡ଼ିଦେଲା । ଲକଡାଉନ ଯୋଗୁ ଦୁଇମାସ ତଳେ ଭାଟି ମାଲିକ କାମରୁ ବିଦା କଲା, ଭଡ଼ା ଦେଇନପାରିବାରୁ ଘର ମାଲିକ ଘରୁ ବାହାର କଲା, ରାତାରାତି ପରିବାର ସହ ପ୍ଲାଟଫର୍ମକୁ ଚାଲି ଆସିଲେ ସିନା ହେଲେ ସେଠୁ ପୋଲିସ ସେମାନଙ୍କୁ ଘଉଡ଼ାଇ ଦେଲା ।

ପ୍ଲାଟଫର୍ମ ବାହାରେ ରାସ୍ତାକଡ଼ରେ କିଛି ବଦାନ୍ୟ ବ୍ୟକ୍ତି ଖାଦ୍ୟ ପାନୀୟ ଦେଉଥିଲେ। କିଛି ବୁଦ୍ଧିବାଟ ଦିଶୁନଥିବାବେଳେ ସବ୍ୟସାଚୀ ଭାଇଙ୍କ କଲ୍‌ ଏକ ଆଶା ଆଲୋକ ନେଇ ଆସିଲା । ରହିବା ପାଇଁ ସେ ଲଜ୍‌ ଯୋଗାଡ଼ କରିଦେଲା ପରେ ପ୍ରଥମଥର ପାଇଁ ଉଡ଼ାଜାହାଜରେ ବସି ଓଡ଼ିଶା ଫେରିବା ମଉକା ଦେଲେ । ମାଆଙ୍କ ପକ୍ଷାଘାତ ଯୋଗୁ ଟ୍ରେନରେ ଫେରିବା ଦୁରୂହ ବ୍ୟାପାର ଥିଲା । ୩ ଦିନ ଖୋଲା ଆକାଶ ତଳେ ରହିବା ଓ ମାଆଙ୍କ ପକ୍ଷାଘାତ, ବୋଝ ଉପରେ ନଳିତା ବିଡ଼ା ସାଜିଥିଲା ।

ଓଡ଼ିଶାରେ ପହଞ୍ଚି ଭାବପ୍ରବଣ ହେଇ ପ୍ରଦୀପ କହିଥିଲେ ଯେ ସବ୍ୟସାଚୀ ଭାଇ ମୋ’ ପାଇଁ ଭଗବାନ । ତାଙ୍କ ଯୋଗୁ ମୁଁ ଓଡ଼ିଶା ଫେରିପାରିଛି । କେବଳ ଏତିକି ନୁହେଁ ଆପଣାର ଲୋକଟିଏ ଭଳି ଫୁଲବାଣୀ ବସ୍‌ରେ ଛାଡ଼ିବାକୁ ବି ସେ ଆସିଲେ । ତାଙ୍କର ଏ ଉପକାର କେବେ ବି ଭୁଲିପାରିବିନି ।

ଅନ୍ୟପକ୍ଷରେ ସବ୍ୟସାଚୀଙ୍କ କହିବାନୁଯାୟୀ ଓଡ଼ିଶା ମାଟିରେ ସେମାନଙ୍କୁ ପହଞ୍ଚାଇ ତାଙ୍କ ମୁହଁରେ ଖୁସି ଦେଖି ମତେ ଯେମିତି ସବୁକିଛି ମିଳିଗଲା । ଭାଇଟିଏ ଭଳି କେବଳ ମୁଁ ମୋ କର୍ତ୍ତବ୍ୟ କରିଛି ।

Leave a Reply

Your email address will not be published. Required fields are marked *