କଟକ : ଓଡ଼ିଶା ହାଇକୋର୍ଟ ବଳାତ୍କାର ଜଡ଼ିତ ଏକ ବଡ଼ ରାୟ ଶୁଣାଇଛନ୍ତି ଆଜି । ବିବାହର ପ୍ରତିଶ୍ରୁତି ଦେଇ ଯଦି ଶାରୀରିକ ସମ୍ପର୍କ ରଖାଯାଇଥାଏ ତେବେ ତାକୁ ବଳାତ୍କାର କୁହାଯାଇପାରିବ ନାହିଁ ଯେହେତୁ ସେଥିରେ ମହିଳାଙ୍କ ପୂର୍ଣ୍ଣ ସହମତି ଥିଲା । ଏକ ମାମଲାର ଜାମିନ ଆବେଦନ ଶୁଣାଣି ବେଳେ ସମ୍ପୃକ୍ତ ଅଭୁଯୁକ୍ତଙ୍କୁ ଜାମିନ ଦେବାପାଇଁ ତଳ କୋର୍ଟକୁ ନିର୍ଦ୍ଦେଶ ଦେବା ସହିତ ଏପରି ରାୟ ଦେଇଛନ୍ତି ହାଇକୋର୍ଟ ।
ଘଟଣାଟି ଏହିପରି । ୨୦୧୯ ନଭେମ୍ବର ୨୭ ତାରିଖରେ କୋରାପୁଟ ଜିଲ୍ଲାର ପଟାଙ୍ଗୀ ଥାନା ଅନ୍ତର୍ଗତ ଜଣେ ୧୯ ବର୍ଷୀୟ ଯୁବତୀ ତାଙ୍କ ସହିତ ଦୁଷ୍କର୍ମ ହୋଇଛି ବୋଲି ଅଭିଯୋଗ କରିଥିଲେ । ତାଙ୍କରି ଗାଁର ଅଚ୍ୟୁତ କୁମାର ତାଙ୍କ ସହିତ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଏମିତିକି ଦୁଇ ଦୁଇଥର ତାଙ୍କୁ ଗର୍ଭବତୀ କରାଇବା ନେଇ ଥିଲା ଅଭିଯୋଗ ।
ସେ ସମୟରେ ଅଭିଯୋଗକୁ ଆଧାର ପୋଲିସ ବି ଅଭିଯୁକ୍ତକୁ ଗିରଫ କଲା ଓ ମାମଲା ଚାଲିଲା । କୋରାପୁଟ-ଜୟପୁର ସ୍ୱତନ୍ତ୍ର ସେସନ୍ସ କୋର୍ଟ ୨୦୧୯ ଡିସେମ୍ବର ୧୧ ତାରିଖରେ ଅଭିଯୁକ୍ତ ଦେଇଥିବା ଜାମିନ ଆବେଦନକୁ ଖାରଜ ମଧ୍ୟ କରିଦେଲା । କିନ୍ତୁ ଅଭୁଯୁକ୍ତ ହାଇକୋର୍ଟରେ ଅପିଲ କଲା ଓ ଏନେଇ ଆଜି ହାଇକୋର୍ଟରେ ଶୁଣାଣି ହେଲା ।
ହାଇକୋର୍ଟ କହିଛି ଯେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ ତାକୁ ଦୁଷ୍କର୍ମର ଆଖ୍ୟା ଦେବା ଉଚିତ ନୁହେଁ । ଯୁବତୀ ନିଜ ଇଚ୍ଛାରେ ସମ୍ପର୍କ ରଖିବା ଓ ପରେ ଅଭିଯୋଗ ଆଣିବାରୁ ଦୁଷ୍କର୍ମ ଆଇନ ଲାଗୁ ହେବା ଆଦୌ ଠିକ୍ ନୁହେଁ । ଆଇନ ଅନୁଯାୟୀ କେବଳ ୭ ଟି ପରିସ୍ଥିତିରେ ଯୌନ ସମ୍ପର୍କକୁ ବଳାତ୍କାର ପର୍ଯ୍ୟାୟଭୁକ୍ତ କରାଯାଏ ।
୧- ପୀଡ଼ିତାଙ୍କ ଇଚ୍ଛା ବିରୋଧରେ
୨- ପୀଡ଼ିତାଙ୍କ ବିନା ଅନୁମତିରେ
୩ – ମାରିଦେବା କିମ୍ବା ଆଘାତ କରିବା ଭୟ ଦେଖାଇ ନିଆଯାଇଥିବା ସମ୍ମତିରେ
୪ – ଜଣେ ବ୍ୟକ୍ତି ପୀଡ଼ିତାର ସ୍ଵାମୀର ଭୁଲ ଧାରଣା ଜନ୍ମେଇ ନିଆଯାଇଥିବା ସମ୍ମତିରେ
୫ – ମାନସିକ ସ୍ଥିତି ଠିକ ନଥିବା ସମୟରେ
୬ – ନିଶାଗ୍ରସ୍ତ ଥିବାବେଳେ
୭ – ଘଟଣା ବିଷୟରେ ବୁଝିବାକୁ ଅସମର୍ଥ ଅବସ୍ଥାରେ ନିଆଯାଇଥିବା ସମ୍ମତି ଆଦିରେ ଯୌନ ସମ୍ପର୍କ ରଖିବାକୁ ବଳାତ୍କାର ବୋଲି ବିଚାର କରାଯିବ ବୋଲି ହାଇକୋର୍ଟ କହିଛି ।