ଉତ୍ତର ପ୍ରଦେଶ ଉରଇରେ ୩୬ ଜଣ ପିଲାଙ୍କୁ ନେଇ ଯୌନ ଶୋଷଣ ମାମଲାର କାହାଣୀ ବ୍ଲାକମେଲରକୁ ବ୍ଲାକମେଲ କରିବା ବିଷୟରେ । ଅଭିଯୁକ୍ତ ଅବସରପ୍ରାପ୍ତ ଲେଖପାଲ ରାମବିହାରୀ ପ୍ରତ୍ୟେକ ଥର ରିସ୍କ ନେବାକୁ ଚାହୁଁ ନଥିଲେ । ଗରିବ ପିଲାମାନଙ୍କୁ ସେ କ୍ରମାଗତ ଭିଡ଼ିଓ ଦେଖେଇ ବ୍ଲାକମେଲ କରୁଥିଲେ । ତେଣୁ ପୀଡ଼ିତ ପିଲାଙ୍କ ସହିତ ମିଶି ସେହି ଅଞ୍ଚଳର କିଛି ଲୋକ ବ୍ଲାକମେଲରଙ୍କୁ ହିଁ ବ୍ଲାକମେଲିଂ କରିବାକୁ ଯୋଜନା କଲେ ।
ଯୋଜନା ଅନୁଯାୟୀ ପ୍ରଥମେ ଦୁଇ ପୀଡ଼ିତ ପିଲାଙ୍କ ଦ୍ଵାରା ରାମବିହାରୀଙ୍କ ଘରୁ ଚୋରି କରେଇଦେଲେ । ପିଲାମାନେ ଏକ ପେନ୍ ଡ୍ରାଇଭ୍ ଏବଂ ଏକ ହାର୍ଡ ଡିସ୍କ ଆଣିଥିଲେ । ଏହାପରେ ରାମବିହାରୀଙ୍କୁ ଟଙ୍କା ମଗା ଯାଇଥିଲା । ପୋଲିସ ଦେଇଥିବା ସୂଚନାନୁସାରେ, ଚୋରମାନେ ତାଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ । ହାର୍ଡଡିସ୍କ ଏବଂ ପେଣ୍ଡ୍ରାଇଭ୍ ଫେରି ପାଇବାକୁ ଅଭିଯୁକ୍ତ ରାମବିହାରୀ ସେମାନଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଗଲେ । କିନ୍ତୁ ପୀଡ଼ିତଙ୍କ ମଧ୍ୟରୁ ଜଣେ ଏଥିପାଇଁ ପ୍ରସ୍ତୁତ ନଥିଲେ, ଫଳରେ ନିଜ ମଧ୍ୟରେ ମାରପିଟ ହେଇଗଲା । ଏହି ମାରପିଟର ଏକ ଭିଡ଼ିଓ ଭାଇରାଲ ହୋଇଥିଲା ।

ମାରପିଟ ଭିଡ଼ିଓ ଭାଇରାଲ ହେଲାପରେ ପୀଡ଼ିତଙ୍କୁ ଲାଗିଲା ଯେ ଏବେ ସବୁ ରହସ୍ୟ ଉନ୍ମୋଚନ ହୋଇଯିବ । ଏହାପରେ ସେମାନେ ମଙ୍ଗଳବାର ରାତିରେ ପୋଲିସ ପାଖରେ ପହଞ୍ଚିଥିଲେ ଏବଂ ପୋଲିସ ଭିଡ଼ିଓ ଦେଖିଲା ପରେ ତାଙ୍କ ହୋସ ଉଡ଼ିଗଲା । ତୁରନ୍ତ ଅଭିଯୁକ୍ତ ରାମବିହାରୀଙ୍କୁ ଗିରଫ କରାଯାଇଥିଲା ।
ପୋଲିସ ସୂଚନାନୁସାରେ ଜାନୁଆରୀ ୮ ରେ ରାମବିହାରୀ କୋଟୱାଲୀରେ ଅଭିଯୋଗ କରିଥିଲେ ଯେ ତାଙ୍କ ଘରୁ ଏକ ହାର୍ଡଡିସ୍କ ଚୋରି ହୋଇଛି ଯାହାର କଭରରେ ୨୦ ହଜାର ଟଙ୍କା ଥିଲା । ସ୍ଥାନୀୟ ଅଞ୍ଚଳର ୩ ଜଣ ବ୍ୟକ୍ତି ଦୁଇ ପିଲାଙ୍କୁ ଲଗେଇ ଚୋରି କରିଛନ୍ତି ବୋଲି କହିଥିଲେ । ଏହାପରେ ଡିଲ ହୋଇଥିଲା ଏବଂ ୨୦ ଲକ୍ଷରୁ ଆରମ୍ଭ ହୋଇ ୧୫ ଲକ୍ଷରେ ଛିଣ୍ଡିଥିଲା । ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଦ୍ୱାରା ପିଲାମାନଙ୍କର ଭିଡ଼ିଓ କ୍ଲିପ୍ ବିକ୍ରି ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ । ୬ ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।